ନୂଆଦିଲ୍ଲୀ: ଆଜି ପୁଣି ଥରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ 'ମନ କି ବାତ' କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 59 ତମ ସଂସ୍କରଣରେ ମୋଦି ଏନସିସି(NCC) ବିଷୟରେ ଚର୍ଚ୍ଚା କରିଥିଲେ । ଏଥିସହ ଅଯୋଧ୍ୟା ରାୟକୁ ନେଇ ଦେଶବାସୀଙ୍କୁ ପ୍ରଶଂସା କରିବା ସହ ମାତୃଭାଷାକୁ ବଞ୍ଚାଇ ରଖିବାକୁ ଆହ୍ବାନ ଦେଇଛନ୍ତି।
ଗତ ନଭେମ୍ବର 9ରେ ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ଶୁଣାଇଥିବାବେଳେ 130 କୋଟି ଦେଶବାସୀ ପ୍ରମାଣ କରି ଦେଇଛନ୍ତି ଦେଶ ଠାରୁ ବଳି ଆଉ କିଛି ନାହିଁ । ଦେଶ ପାଇଁ ସବୁଠୁ ଉଚ୍ଚ ହେଉଛି ଏକତା, ଶାନ୍ତି ଓ ସୌହାର୍ଦ୍ଦ୍ୟ । ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସମଗ୍ର ଦେଶ ଗ୍ରହଣ କରିବା ସହ ପରିପକ୍ବତା ଓ ସ୍ଥିରତାର ପ୍ରମାଣ ଦେଇଛନ୍ତି । ଯେଉଁଥି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଉ ଏହି ରାୟ ଆସିବା ପରେ ନ୍ୟାୟପାଳିକା ପ୍ରତି ସମ୍ମାନ ବଢିଛି । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ଏବେ ଭାରତ ପାଇଁ ଏକ ନୂଆ ଆଶାର କିରଣ ସୃଷ୍ଟି କରିଛି ବୋଲି କହିଥିଲେ ପିଏମ ।
ବିବିଧତା ମଧ୍ୟରେ ଭାରତର ଏକତାକୁ ପ୍ରକାଶ କରି, ଲୋପ ପାଉଥିବା ଭାଷା ପ୍ରତି ଚିନ୍ତା ପ୍ରକଟ କରିଥିଲେ ମୋଦି । ଏଥିସହ କିପରି ନିଜ ମାତୃଭାଷାକୁ ଜୀବତ ରଖି ହେବ ସେନେଇ ରଙ୍ଗ ସମ୍ପ୍ରଦାୟଙ୍କ ଏକ ଛୋଟିଆ କାହାଣୀ ଶୁଣାଇଥିଲେ। ଆଉ ଏଥିସହ କହିଥିଲେ, ମାତୃଭାଷାର ଜ୍ଞାନ ବ୍ୟତୀତ କୌଣସି ଉନ୍ନତି ସମ୍ଭବ ନୁହେଁ। ନିଜେ,ନିଜ ପରିବାର କିମ୍ବା ସମାଜକୁ ପ୍ରେରିତ କରିବାକୁ ଆହ୍ବାନ କରିଥିଲେ। ବିଲୁପ୍ତ ହେବାକୁ ବସିଥିବା ଭାଷା ପାଇଁ ଜାତିସଂଘ ପକ୍ଷରୁ 2019ରେ ଇଣ୍ଟରନ୍ୟାସନାଲ ଇୟର ଅଫ ଇଣ୍ଟିଜିନିୟସ ଲାଙ୍ଗୁଏଜ ଘୋଷଣା କରାଯାଇଛି।
ନଭେମ୍ବର 26କୁ ଆମ ସମ୍ବିଧାନକୁ 70 ବର୍ଷ ପୁରୁଛି । ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନ ସହ ପାର୍ଲିଆମେଣ୍ଟରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କୁ ଆଦର ପୂର୍ବରୁ ନମନ କରିବା ସହ ଶ୍ରଦ୍ଧାପୂର୍ବକ ଅପର୍ଣ କରିବାକୁ ଦେଶବାସୀଙ୍କୁ କହିଥିଲେ ପିଏମ । ତେବେ ଏହି କାର୍ଯ୍ୟକ୍ରମରେ ଆର୍ମି ଫୋର୍ସ ଦିବସ, ପ୍ରଦୂଷଣ, ପରୀକ୍ଷା, ଫିଟ ଇଣ୍ଡିଆ ଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।