ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ସୀମାରେଖା(LAC)ରେ ଭାରତ-ଚୀନ ସଂଘର୍ଷ ପରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍ ଏମ୍ ନରୱଣେ ଲଦାଖରେ ଗସ୍ତରେ । ସେନା ସୂତ୍ରରୁ ପ୍ରକାଶ ଯେ ସେନାଧ୍ୟକ୍ଷ ନରୱଣେ ଆଜି(ବୁଧବାର) ପୂର୍ବ ଲଦାଖର ଫରୱାର୍ଡ ଲୋକେସନ୍ ପରିଦର୍ଶନ କରିବେ ଓ ନିୟୋଜିତ LAC ଯବାନଙ୍କ ସହ ଆଲୋଚନା କରିପାରିବେ । ଏହାସହ ସୀମା ସ୍ଥିତି ବିଷୟରେ ଅବଗତ ହେବେ।
ସୋମବାର ଦୁଇ ଦେଶର କୋର କମାଣ୍ଡରଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ପରେ ସେନା ମୁଖ୍ୟ ଏହି ଅଞ୍ଚଳର ପରିସ୍ଥିତିକୁ ଅନୁଧ୍ୟାନ କରିବେ। ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୟାଇ.କେ ଯୋଶୀ ଓ କର୍ପ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ମଧ୍ୟ ଫରୱାର୍ଡ ଲୋକେସନ୍ ପରିଦର୍ଶନ କରିବେ ।
ଲେହରେ ଆର୍ମି ଚିଫ୍ ଜେନେରାଲ ଏମ୍ ଏମ୍ ନରୱଣେଙ୍କ ଏହା ଦ୍ବିତୀୟ ଦିନ ଗସ୍ତ । ଆଜି ସେ ତାଙ୍କ ସେନା କମାଣ୍ଡର୍ସଙ୍କ ସହ ଆଲୋଚନା କରିବେ। ଲେହର ସମସ୍ତ ସେନା ଅଧିକାରୀଙ୍କ ସହ ଆଲୋଚନା କରି ଚୀନର ବିବାଦ ବିଷୟରେ ସୂଚନା ନେବେ । ସେନାର ପ୍ରସ୍ତୁତି ଓ ଏଲଏସିର ସ୍ଥିତି ଉପରେ ଅବଗତ ହେବେ ।
ଏହା ସହିତ ସେ ଚୀନ ସହିତ 22 ଜୁନ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଗ୍ରହଣ କରିବେ । ଏଥିରେ 14 ତମ କୋର୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୟାଇକେ ଯୋଶୀ ମଧ୍ୟ ଉପସ୍ଥିତ ରହିବେ କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ ସେନା ମୁଖ୍ୟ ନରୱଣେ ଯବାନମାନଙ୍କୁ କଣ ସୂଚନା ଦେବେ ? ଏହାସହ ସେନାମୁଖ୍ୟ ଶ୍ରୀନଗର ଫେରିବେ । ସେଠାରେ 15ତମ କୋର୍ ମୁଖ୍ୟାଳୟରେ ମଧ୍ୟ ସେନା ଅଧିକାରୀଙ୍କ ସହ ବୈଠକ କରିବେ ।