ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ନିଜ ଦେଶରେ ସୁରକ୍ଷା ଦେଉଥିବା ପାକିସ୍ତାନ କରାଚି ଷ୍ଟୋକ ଏକସ୍ଚେଞ୍ଜରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତକୁ ଦୋଷ ଦେଇଛି । ସେପଟେ ଏହି ଘଟଣାରେ ଚୀନ ସମର୍ଥିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ର ହସ୍ତକ୍ଷେପକୁ ନେଇ ଜାତିସଂଘ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏହାର ସଦସ୍ୟ ।
ନ୍ୟୁୟର୍କରେ ଅବସ୍ଥାପିତ କୂଟନୀତିଜ୍ଞଙ୍କ ଅନୁଯାୟୀ, ଯେକୌଣସି ଆତଙ୍କବାଦୀ ଆକ୍ରମଣ ପରେ ୟୁଏନଏସସି ପକ୍ଷରୁ ବିବୃତ୍ତି ରଖାଯାଇଥାଏ । ତେବେ ଚୀନ ମଙ୍ଗଳବାର ଏହି ଆକ୍ରମଣ ଉପରେ ୟୁଏନଏସସିକୁ ବିବୃତ୍ତି ରଖିବା ପାଇଁ ପ୍ରସ୍ତାବ ଦେଇଥିଲା । କିନ୍ତୁ ଏହି ପ୍ରସ୍ତାବକୁ ନେଇ ୟୁଏନଏସସି ସଦସ୍ୟ ପାକିସ୍ତାନର ବୟାନ ଉପରେ ସନ୍ଦେହ ପ୍ରକାଶ କରି ଅନ୍ତିମ ସମୟରେ ହସ୍ତକ୍ଷେପ କରିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଶାହ କୁରୈଶୀଙ୍କ ସହ ମିଶି ବିନା ପ୍ରମାଣରେ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତକୁ ଦୋଷ ଦେଇଥିଲେ । ତେଣୁ ସେମାନେ ପାକିସ୍ତାନର ଅବହେଳିତ ବିବୃତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେପଟେ ଭାରତ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।
ତେବେ ୟୁଏନଏସସିର ସଦସ୍ୟମାନେ କହିଥିଲେ, ଜାତିସଂଘ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । କାରଣ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଜଣେ ନିର୍ବାଚିତ ଅସ୍ଥାୟୀ ସଦସ୍ୟ । ତାକୁ ଦାୟୀ କରୁଥିବା କୁରୈଶୀଙ୍କ ବିବୃତ୍ତି ପରିବେଶକୁ ଉତ୍ତେଜିତ କରିବ । ଅନ୍ୟପକ୍ଷରେ ଏଭଳି ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସମସ୍ତଙ୍କ ପାଇଁ ଏକ ଭୁଲ ସନ୍ଦେଶ ଦେବ ବୋଲି ଜାତିସଂଘର ଜଣେ ଚୀନ କୂଟନୀତିଜ୍ଞ କହିଥିଲେ ।
ସୂଚନାଯୋଗ୍ୟ ଯେ, ପାକିସ୍ତାନର କରାଚି ଷ୍ଟକ ଏସଚେଞ୍ଜରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଘଟଣାରେ 19 ଜଣଙ୍କ ମୃତ୍ୟୁ ଘଟିଥିଲା ।