ଲକ୍ଷ୍ନୌ: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ଉତ୍ତରପ୍ରଦେଶର 11ଟି ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ଆସି ସାରିଛି । ଉତ୍ତରପ୍ରଦେଶର 11ଟି ଆସନରୁ ବିଜେପିକୁ 8ଟି ଆସନ ମିଳିଥିବା ବେଳେ ସପାକୁ ମିଳିଛି 3ଟି । ସେପଟେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିର ଖାତା ମଧ୍ୟ ଖୋଲି ପାରିନାହିଁ । ଏହି ପରାଜୟ ପରେ ବିଏସପି ସୁପ୍ରିମୋ ମାୟାବତୀ ଅଭିଯୋଗ କରିଛନ୍ତି ଯେ ବିଜେପି ଓ ସପା ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି ।
ସୂଚନା ଯୋଗ୍ୟ ଯେ ସମାଜବାଦୀ ପାର୍ଟି ରାମପୁର ସହ ଜଲାଲପୁର ଓ ଜୈଦପୁରରେ 3ଟି ଆସନ ଜିତି ନିଜ ବିଧାୟକଙ୍କ ସଂଖ୍ୟା ବୃଦ୍ଧି କରିଛି । ସେପଟେ ବିଜେପି ଓ ମେଣ୍ଟ ସରକାରଙ୍କୁ ଲକ୍ଷ୍ନୌ କେଣ୍ଟ, ଗୋବିନ୍ଦନଗର (କାନପୁର), ମନିକପୁର, ବେହ୍ଲା, ଇନଲାସ, ଗଙ୍ଗୋହ, ଘୋସି, ପ୍ରତାପଗଡ଼ ଆସନରେ ଜିତ ମିଳିଛି । ବାସପା କିନ୍ତୁ ଉପନିର୍ବାଚନରେ ଗୋଟିଏ ମଧ୍ୟ ଆସନ ପାଇପାରି ନାହିଁ ।
ନିର୍ବାଚନ ଫଳାଫଳ ପରେ ମାୟାବତୀ କହିଛନ୍ତି, ‘ହରିୟାଣାର ଜନତା ବିଜେପିର କୁଶାସନକୁ ନେଇ ଖୁବ ଦୁଃଖୀ ଥିଲା ଓ ଏମାନଙ୍କଠାରୁ ମୁକ୍ତି ଚାହୁଁଥିଲା । କିନ୍ତୁ କଂଗ୍ରେସ ଦଳ ନିଜ ସ୍ବାର୍ଥ ପାଇଁ ଜନତାଙ୍କ ଭୋଟ ଭାଗ ହେବା ଭୟକୁ ଖୁବ ପ୍ରଚାର କରିଥିଲା । ତେବେ ଏଥିରେ ବିଏସପି ଭୋଟର ଅବିଚଳିତ ରହିଥିବା ବେଳେ ଅନ୍ୟ ଭୋଟର ଭ୍ରମିତ ହୋଇଛନ୍ତି । ଯାହା ଫଳରେ ବିଏସପି ଚଳିତ ସାଧାରଣ ନିର୍ବାଚନରେ ଆସନ ଜିତିବାରେ ସଫଳ ହୋଇ ପାରି ନାହିଁ ।