ଚଣ୍ଡିଗଡ: କୋରୋନା ମହାମାରୀ ଭଳି ସମୟରେ ମାସ୍କ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କିଛି ଲୋକଙ୍କ ପାଖରେ ମାସ୍କ କିଣିବାକୁ ମଧ୍ୟ ଟଙ୍କା ନାହିଁ | ଏପରି ପରିସ୍ଥିତିରେ ପଞ୍ଜାବର 98 ବର୍ଷୀୟ ଗୁରୁଦେବ କୌର ତାଙ୍କ ପରିବାର ସହିତ ମିଶି ପ୍ରତିଦିନ ବହୁ ମାସ୍କ ସିଲେଇ କରି ଗରିବ ଲୋକଙ୍କୁ ବାଣ୍ଟିଛନ୍ତି ।
ପଞ୍ଜାବର ମୋଗା ସହରର ଅକାଲସର ରୋଡରେ ରହୁଥିବା ଗୁରୁଦେବ କୌର ଗୋଟିଏ ଆଖିରେ ଦେଖିପାରନ୍ତି । ଗତ 25 ବର୍ଷ ତଳେ ନିଜର ଆଉ ଗୋଟିଏ ଆଖିର ସେ ଅପରେସନ କରିଥିଲେ । ଯେତେବେଳେ ଗୁରୁଦେବ ଶହେ ବର୍ଷ ପୁରୁଣା ଯନ୍ତ୍ରରେ ଥରି ଥରି ବସି ମାସ୍କ ତିଆରି କରୁଛନ୍ତି ସେତେବେଳେ ସେ ମାନବିକତାର ସେବା କରିବା ଛଡା ଆଉ କିଛି ଭାବନ୍ତି ନାହିଁ। ତେବେ ଏଭଳି ପରିସ୍ଥିତି ଗୁରୁଦେବ ଲୋକମାନଙ୍କୁ ନିଜ ଘରେ ରହିବା ସହ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମକୁ ମାନିବାକୁ ପରାମର୍ଶ ଦେଇଛନ୍ତି ।
ଏଥିସହ ସେ କହିଛନ୍ତି ଯେ, ଯଦି ଆପଣ ଏହି ରୋଗରୁ ବଞ୍ଚିପାରିବେ ତେବେ ବଞ୍ଚନ୍ତୁ। ସରକାର ଯାହା କହୁଛନ୍ତି ଆମମାନଙ୍କର ମଙ୍ଗଳ ପାଇଁ କହୁଛନ୍ତୁ । ଏଣୁ ନିଜ ଘରେ ରୁହନ୍ତୁ, ଭଗବାନଙ୍କ ନାମ ନିଅନ୍ତୁ ଏବଂ ଯଦି ପାରୁଛନ୍ତି ଅନ୍ୟକୁ ସାହାର୍ଯ୍ୟ କରିନ୍ତୁ । ଏଥିସହ ସେ କହିଛନ୍ତି, ଯେତେବେଳେ ମୁଁ ରାସ୍ତାରେ ପନିପରିବା, କ୍ଷୀର ଏବଂ ଫଳ ବିକ୍ରୟ କରିବାକୁ ଯାଉଥିବା ଲୋକଙ୍କୁ ପଚାରିଲି କି କଣ ପାଇଁ ମାସ୍କ ବ୍ୟବହାର କରୁନାହାନ୍ତି । ସେମାନେ କହିଥିଲେ ଯେ ମାସ୍କ କିଣିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ।
ଏଣୁ ମୋତେ ମାସ୍କ ତିଆରି କରିବା ଆସୁଥିଲା । ଏଣୁ ମୁଁ ମୋର 100 ବର୍ଷ ପୁରୁଣା ମେସିନ କାଢିଲି । ଯାହାକୁ ସିଙ୍ଗାପୁରରୁ ମୋ ଶାଶୁଘର ଲୋକ ଆଣିଥିଲେ । ସେଥିରେ ମୁଁ ମାସ୍କ ତିଆରି କରିବା ଆରମ୍ଭ କରିଥିଲି । ଗୁରୁଦେବଙ୍କ ବୋହୂ କହିଛନ୍ତି ଯେ, ମୋ ଶାଶୁଙ୍କ ଏଭଳି ସେବା ମନଭାବ ଦେଖି ଆମେ ମଧ୍ୟ ପ୍ରୋତ୍ସାହିତ ହେଇଥାଉ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗୁରୁଦେବ କୌରଙ୍କ ଏହି ସେବା ମନୋଭାବକୁ ପ୍ରଶଂସା କରିଥିଲେ । ଅମରଜିତ୍ କୌର କହିଛନ୍ତି ଯେ ଗତ ତିନି ସପ୍ତାହ ମଧ୍ୟରେ ତାଙ୍କ ପରିବାର ଦୁଇ ହଜାରରୁ ଅଧିକ ମାସ୍କ ତିଆରି କରି ଲୋକଙ୍କୁ ବଣ୍ଟନ କରିଛନ୍ତି।