ଲକ୍ଷ୍ନୌ: ପିସ୍ତଲ ସହ ସେଲଫି ନେବା ପଡିଲା ମହଙ୍ଗା । ସେଲଫି ନେବା ସମୟରେ ପିସ୍ତଲରୁ ଗୁଳି ବାଜି ଯୁବକଙ୍କ ମୃତ୍ୟୁ । ସୂଚନାମୁତାବକ, ଶନିବାର ଅପରାହ୍ନରେ ଗ୍ରେଟର ନୋଏଡାରେ ସୌରଭ ମାବୀ ନାମକ ଜଣେ 22 ବର୍ଷ ବୟସ୍କ ଯୁବକ ପିସ୍ତଲ ସହ ସେଲଫି ନେବାବେଳେ ପିସ୍ତଲରୁ ଗୁଳି ବାହାରି ତାଙ୍କ ଛାତିରେ ବାଜିଥିଲା । ଦୁର୍ଘଟଣା ସମୟରେ ଯୁବକଙ୍କ ସାଥି କାର ଚଲାଉଥିଲେ। ସେ ତୁରନ୍ତ ଯୁବକଙ୍କୁ ନେଇ ଗ୍ରେଟର ନୋଏଡା ଶାରଦା ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚେଷ୍ଟା ସତ୍ତ୍ବେ ଯୁବକଙ୍କୁ ବଞ୍ଚାଇ ପାରିନଥିଲେ। ପୋଲିସ ମୃତ ଯୁବକଙ୍କ ସାଥି ନାକୁଲ ଶର୍ମାଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ତେବେ ମୃତକ ଜଣକ ଧରମପୁର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ସୂଚନାନୁସାରେ, ସୌରଭ ନିଜ ସାଥି ନକୁଳ ଶର୍ମା ସହ ବିଶାରଖ ଥାନା ଅନ୍ତର୍ଗତ ପତବାଡି ଗାଁକୁ ନିଜର ଜଣେ ବନ୍ଧୁ ସଚିନଙ୍କୁ ଦେଖା କରିବାକୁ ଯାଉଥିଲେ। କାର୍ ଏସିଇ ଛକରେ ପହଞ୍ଚିବା ପରେ ସୌରଭ ପିସ୍ତଲ ବାହାର କରି ଖେଳିଥିଲେ ଓ ମୋବାଇଲରୁ ସେଲଫି ନେଇଥିଲେ। ସେ ଭାବୁଥିଲେ ପିସ୍ତଲରେ ଗୁଳି ନାହିଁ, ଖାଲି ଅଛି। କିନ୍ତୁ ପିସ୍ତଲରେ ଗୁଳି ଭର୍ତ୍ତି ଥିଲା। ସେ ଟ୍ରିଗର୍ ଚାପିବା କ୍ଷଣି ଗୁଳି ବାହାରି ସିଧା ସୌରଭଙ୍କ ଛାତିରେ ବାଜିଥିଲା।
ତାଙ୍କ ସାଙ୍ଗ ନକୁଳ ସୌରଭଙ୍କୁ ସିଧା ସାରଦା ହସ୍ପିଟାଲ ଚାଲିଗଲେ । କିନ୍ତୁ ସେତେବେଳେ ବହୁତ ବିଳମ୍ବ ହୋଇସାରିଥିଲା। ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।