ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ଏପରିସ୍ଥଳେ ପଶ୍ଚିମବଙ୍ଗର ବିଭିନ୍ନ ଲୋକମାନେ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ 105ଟି ଅତିରିକ୍ତ ସ୍ପେଶାଲ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ତାଙ୍କ ରାଜ୍ୟର ଯେଉଁ ଲୋକମାନେ ଭିନ୍ନ ଭିନ୍ନ ସ୍ଥାନରେ ଫସି ରହିଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ 105ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ପ୍ରକାଶ ଥାଉ କି, ରାଜ୍ୟ ସରକାରଙ୍କ ସୁପାରିଶରେ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନର ସୁବିଧା ଦିଆଯାଉଛି ।
ତେବେ କିଛି ଦିନ ମଧ୍ୟରେ ଏହି ଟ୍ରେନ ଦେଶର ବିଭିନ୍ନ ସ୍ଥାନରୁ ପଶ୍ଚିମବଙ୍ଗ ପାଇଁ ବାହାରିବ । ଏନେଇ ସେ ନିଜ ଟ୍ବିଟରେ ସୂଚନା ଦେଇଛନ୍ତି । ଏଥିସହ ଏକ ଲିଙ୍କ ମଧ୍ୟ ଜାରି କରିଛନ୍ତି । ଉକ୍ତ ଲିଙ୍କରେ କ୍ଲିକ କଲେ ଟ୍ରେନ ଟାଇମିଂ ଜଣାପଡିବ ।
ସୂଚନାଯୋଗ୍ୟ, ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଫଶ୍ଚିମବଙ୍ଗର ଲୋକଙ୍କୁ ନେଇ ଅନେକ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ମମତା ବାନାର୍ଜୀଙ୍କ ଚିଠି ଲେଖିଥିଲେ । ଯେଉଁଥିରେ ଶାହ ଲେଖିଥିଲେ ଯେ, ଅନ୍ୟ ରାଜ୍ୟରେ ଫସିଥିବା ପଶ୍ଚିମବଙ୍ଗର ଶ୍ରମିକ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି ସତ ହେଲେ ରାଜ୍ୟ ସରକାର ଏଥିରେ ଅବହେଳା କରୁଛନ୍ତି । ଉକ୍ତ ଚିଠିକୁ ନେଇ ପରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା ।