ଜୋହାନ୍ସବର୍ଗ: ମହାତ୍ମାଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକୀୟ ଅଣନାତି ସତିଶ ଧୁପେଲିଆଙ୍କ କୋରୋନାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିବା ଜଣାପଡିଛି । ଆଉ ତିନି ଦିନ ପରେ ସେ 66 ବର୍ଷରେ ପଦାର୍ପଣ କରିଥାନ୍ତେ ବୋଲି ଜୋହାନ୍ସବର୍ଗରେ ରହୁଥିବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଧୁପେଲିଆଙ୍କ ଭଉଣୀ ଉମା ଧୁପେଲିଆ-ମେଷ୍ଟ୍ରି ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ନିମୋନିଆ କାରଣରୁ ସତିଶ ଧୁପେଲିଆ ଗତ ଏକ ମାସ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେଠାରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଫଳରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ବିଗିଡି ଯାଇଥିଲା । ଶେଷରେ ରବିବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ସତିଶ ଧୁପେଲିଆ ଗାନ୍ଧୀ ଡେଭେଲପମେଣ୍ଟ ଟ୍ରଷ୍ଟର ଜଣେ ସକ୍ରିୟ ସଦସ୍ୟ ଥିଲେ । ଏହାଛଡା ବିଶେଷ କରି ଭିଡିଓ ଗ୍ରାଫି ଓ ଫଟୋଗ୍ରାଫିରେ ତାଙ୍କର ଖୁବ ନାଁ ରହିଛି ।