ମୁମ୍ବାଇ: ମହାରାଷ୍ଟ୍ରରେ ଥମୁନି ନକ୍ସଲ ହମଲା । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଆଦିବାସୀଙ୍କୁ ହତ୍ୟା କଲେ ମାଓବାଦୀ । ମୃତକ ଦ୍ବୟ ହେଲେ ସମରୁ ଏବଂ ଗିରମା କୁଦାମି। ଉଭୟ ଗଡଚିରୋଲୀର ବାସିନ୍ଦା । ଏହାକୁ ମିଶାଇ ବିଗତ 11 ଦିନ ମଧ୍ୟରେ 7 ଜଣଙ୍କୁ ହତ୍ୟା କରିଛନ୍ତି ଲାଲବାହିନୀ ।
ଶୁକ୍ରବାର ଉଭୟ ଘରକୁ ଫେରିଥିବାବେଳେ ଟାର୍ଗେଟ କରିଥିଲେ ନକ୍ସଲ । ଜାନୁଆରୀ 25ରୁ 31 ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିଥିଲେ ନକ୍ସଲ । ଏହି ସମୟରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭିଆଇଥିଲେ । ଗଛ ପକାଇ ରାସ୍ତା ଅବରୋଧ, ଗାଡି ପୋଡିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ସହିଦ ସପ୍ତାହ ପୂର୍ବରୁ ଜାନୁଆରୀ 22ରେ ତିନି ଜଣଙ୍କୁ ହତ୍ୟା କରି ଶବକୁ ରାସ୍ତାରେ ଫୋପାଡି ଦେଇଥିଲେ ନକ୍ସଲ ।