ମୁମ୍ବାଇ: ଦିଲ୍ଲୀର ଜବାହାର ଲାଲ ନେହେ୍ରୁ ବିଶ୍ବ ବିଦ୍ୟାଳୟରେ ରବିବାର ରାତିରେ ହୋଇଥିବା ହିଂସାକାଣ୍ଡକୁ ନେଇ ସରଗରମ ହୋଇଛି ଜାତୀୟ ରାଜନୀତି । ଶାସକ ଏବଂ ବିରୋଧୀ ଦଳ ଉଭୟ ଏହି ଘଟଣାକୁ ନେଇ ପରସ୍ପରକୁ ଟାର୍ଗେଟ କରୁଛନ୍ତି । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ହିଂସାକାଣ୍ଡକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଏହି ହିଂସାକାଣ୍ଡକୁ କଡା ନିନ୍ଦା କରିବା ସହ ଏହାକୁ 26/11 ମୁମ୍ବାଇ ଆକ୍ରମଣ ସହ ତୁଳନା କରିଛନ୍ତି । ଏହା ସହିତ ସେ ଘଟଣାର ତଦନ୍ତ ଦାବି କରିଛନ୍ତି।
ସୋମବାର ସାମ୍ବାଦିକ ସମ୍ମିଳନୀ କରି ଉଦ୍ଧବ କହିଛନ୍ତି, ଜେଏନୟୁରେ ରବିବାର ଦିନ ହୋଇଥିବା ହିଂସାକାଣ୍ଡ ମୁମ୍ବାଇରେ ହୋଇଥିବା 26/11 ଆତଙ୍କୀ ଆକ୍ରମଣ କଥା ମନେ ପକାଉଛି । ଆକ୍ରମଣକାରୀଙ୍କ ଚେହେରାରୁ ପରଦା ଉଠିବା ଆବଶ୍ୟକ । ଯେଉଁମାନେ ବି ମୁଖା ପିନ୍ଧି ଏଭଳି ବର୍ବରତା କାଣ୍ଡ ଘଟାଇଛନ୍ତି ସେମାନେ କାପୁରୁଷ ଥିଲେ । ମହାରାଷ୍ଟ୍ରରେ ଏପରି ଘଟଣାକୁ ଆମେ କଦାପି ସହ୍ୟ କରିବୁ ନାହିଁ ବୋଲି ଉଦ୍ଧବ କହିଛନ୍ତି ।
ଏହା ସହିତ ଛାତ୍ରଙ୍କ ସୁରକ୍ଷାକୁ ନେଇ ସେ କହିଛନ୍ତି, ଜେଏନୟୁ ଘଟଣା ପରେ ଦେଶର ସମସ୍ତ ଛାତ୍ର ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । କିନ୍ତୁ ମହାରାଷ୍ଟ୍ରରେ ସମସ୍ତ ଛାତ୍ର ସୁରକ୍ଷିତ ଅଛନ୍ତି ବୋଲି ଆଶ୍ବାସନା ଦେଇଛନ୍ତି ଉଦ୍ଧବ ।