ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନ ପରିଷଦର ଉପାଧ୍ୟକ୍ଷ ଏସଏମ ଧର୍ମେ ଗୌଡା ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଲୋକସଭା ବାଚସ୍ପତି କହିଛନ୍ତି । ଏକ ସ୍ବାଧୀନ ଓ ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ କରାଯିବ । ଗତକାଲି ଏକ ରେଳଧାରଣା ନିକଟକୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।
ଲୋକସଭା ବାଚସ୍ପତି ଓମ ବିର୍ଲା ଏହି ଘଟଣାକୁ ନେଇ ଘୋର ଦୁଃଖ ପ୍ରକାଶ କରିବା ସହ ଏସଏମ ଧର୍ମେ ଗୌଡାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହ କର୍ଣ୍ଣାଟକ ବିଧାନ ପରିଷଦରେ ଘଟିଥିବା ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି । ଏହା ସହ କହିଛନ୍ତି ବିଧାନପରିଷଦ ଭଳି ପବିତ୍ର ଗୃହର ମର୍ଯ୍ୟାଦା ରକ୍ଷା କରିବା ସହ ସୁରକ୍ଷା ଆମର ଦାୟିତ୍ବ ହେବା ଦରକାର ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଗତ ଡିସେମ୍ବର 15 ତାରିଖରେ କର୍ଣ୍ଣାଟକ ବିଧାନ ପରିଷଦରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଗୋ-ହତ୍ୟା ବିଲ ଉପରେ ଆଲୋଚନା ବେଳେ ବିରୋଧୀ ହଟ୍ଟଗୋଳ କରିଥିଲେ । କଂଗ୍ରେସର ବିଧାନ ପରିଷଦର ସଦସ୍ୟମାନେ ବିଲକୁ ବିରୋଧ କରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ଏହା ପରେ ସେମାନେ ଅଧ୍ୟକ୍ଷଙ୍କ ପୋଡିୟମ ଉପରକୁ ଉଠି ଯାଇଥିଲେ । ଅଧ୍ୟକ୍ଷ ଆସନରେ ବସିଥିବା ସହ ଧର୍ମେ ଗୌଡାଙ୍କ ସହ ଯୁ୍କ୍ତିତର୍କ କରିବା ସହିତ ସେମାନେ ତାଙ୍କୁ ଆସନରୁ ଟାଣି ଆଣିଥିଲେ ।