ନୂଆଦିଲ୍ଲୀ: ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବା ଥରେ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକର ବର୍ଜନ କରିବା ପାଇଁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ସଂସଦର ସମସ୍ତ ସଦସ୍ୟଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ କରିବା ଉଚିତ । ଏଭଳି କରି ସେମାନେ ସାଧାରଣ ଲୋକଙ୍କୁ ପ୍ରତ୍ସାହିତ କରିପାରିବେ ବୋଲି ବାଚସ୍ପତି କହିଛନ୍ତି।
ଶୁକ୍ରବାର ଲୋକସଭାରେ ସମ୍ବୋଧିତ କରି ଓମ ବିର୍ଲା କହିଛନ୍ତି, ଏହି ଗୃହ ଦେଶର 130 କୋଟି ଲୋକଙ୍କୁ ପ୍ରତିନିଧିତ୍ବ କରେ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବନ୍ଦ ହେଉ ବୋଲି ସଦନର ସମସ୍ତ ସଦସ୍ୟ ସହମତି ପ୍ରକାଶ କରୁଥିବେ ବୋଲି ମୁଁ ଆଶା କରୁଛି । ଏହି ପଦକ୍ଷେପ ଆମଠାରୁ ଆରମ୍ଭ କରିବା ଉଚିତ । ଯଦି ଆମେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବର୍ଜନ କରିବା ତାହେଲେ ଦେଶର 130 କୋଟି ଲୋକଙ୍କ ସହ ବିଶ୍ବ ପାଖକୁ ଏହି ସନ୍ଦେଶ ଯିବ। ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବର୍ଜନ କରିବାକୁ ଏହି ଅଧିବେଶନରେ ଆମକୁ ପ୍ରତିଜ୍ଞା ନେବା ଉଚିତ ବୋଲି ସେ କହିଛନ୍ତି। ଲୋକସଭା ବାଚସ୍ପତିଙ୍କ ଏହି ପରାମର୍ଶକୁ ସ୍ବାଗତ କରାଯାଇଛି।