କୋରୋନା ସହ ଲଢେଇ ଜାରି ରହିଛି। ଏହି ଅଦୃଶ୍ୟ ଭାଇରସ ଏତେ ଶୀଘ୍ର ବିଶ୍ବରୁ ଛାଡିକି ଯିବନି। ତେଣୁ ଭାଇରସ ସହ ବଞ୍ଚି ମଣିଷକୁ ଆଗକୁ ବଢିବାକୁ ହେବ। ଏନେଇ ପୂର୍ବରୁ କରାଯାଇଥିବା ଦେଶବ୍ୟାପୀ ତାଲାବନ୍ଦକୁ କିଛି ମାତ୍ରାରେ କୋହଳ କରାଯାଇଛି।
ଏବେ ରାସ୍ତାରେ ଗଡୁଛି ଗାଡି, ଖୋଲୁଛି ଦୋକାନ ବଜାର ଓ ଚାଲିଛି ଅଫିସ କାମ। ହେଲେ ସବୁ କିଛି ନିଜର ଆବଶ୍ୟକତା ଅନୁସାରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଦେଶରେ କୋରୋନା ମାମଲା ବୃଦ୍ଧି ପାଉଥିବାରୁ ବାହାରକୁ ଯିବା ସମୟରେ ଓ ଅଫିସ କାମ ବେଳେ ଅନେକ ଗୁଡିଏ ଦିଗପ୍ରତି ଧ୍ୟାନ ଦେବାକୁ ପଡିବ। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଓ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଏବଂ ସତର୍କତାକୁ ଅନୁସରଣ କରିବାକୁ ପଡିବ।
ଅଫିସରେ ମଧ୍ୟାହ୍ନ ଭୋଜନ
ମଧ୍ୟାହ୍ନ ଭୋଜନ ସମୟରେ ଆପଣ ମାସ୍କ ପିନ୍ଧି ପାରିବେ ନାହିଁ ତେଣୁ ଏ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ । ଅଫିସ୍ ସହକର୍ମୀଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ଆମର ଅଭ୍ୟାସ, କିନ୍ତୁ ଏହି ସମୟରେ ଏହା କରିବା ନିରାପଦ ନୁହେଁ । ତେଣୁ ଯଥା ସମ୍ଭବ ଶାରୀରିକ ଦୂରତା ବଜାଇ ରଖିବେ। ଏକା ସାଙ୍ଗରେ କାଫିଟେରିଆକୁ ଖାଇବାକୁ ଯିବେନି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ନିଜର ଟିଫିନ୍ କାହା ସହ ସେୟାର କରନ୍ତୁ ନାହିଁ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁଯାୟୀ ଏବେ ସୁଦ୍ଧା ଖାଦ୍ୟ ଏବଂ ଜଳ ଦ୍ବାରା କୋରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସି ନାହିଁ। କିନ୍ତୁ ବଜାରରୁ କିଣାଯାଇଥିବା ଖାଦ୍ୟ ସାମଗ୍ରୀ ଉପରେ କୋରୋନା ଜୀବାଣୁ ରହିଥାଇ ପାରେ। ଯଦି ଏହା ଘଟେ ତେବେ ସଂକ୍ରମଣ ହେବାର ଆଶଙ୍କା ରହିଛି। ଯେ କୌଣସି ପ୍ୟାକେଟ୍ ଖାଇବା ସାମଗ୍ରୀ ବଜାରରୁ ଆଣୁଛନ୍ତି ତାକୁ ପ୍ରଥମେ ଧୁଅନ୍ତୁ ଓ ପରେ ନିଜ ହତା ସଫା କରିବାକୁ ଜମାରୁବି ଭୁଲନ୍ତୁ ନାହିଁ।
ବର୍ତ୍ତମାନ ସମୟରେ ଯଥା ସମ୍ଭବ ବାହାର ଖାଇବା ଆଭଏଡ୍ କରନ୍ତୁ। ଘରେ ଖାଇବା ପ୍ରସ୍ତୁତ କରନ୍ତୁ ଓ ସଫା ସ୍ଥାନରେ ବସି ଖାଆନ୍ତୁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଘରେ ଉପଯୁକ୍ତ ତାପମାତ୍ରାରେ ଖାଦ୍ୟ ରାନ୍ଧିବା ଉଚିତ୍। ଏହା କରିବା ଦ୍ବାରା ଯଦି ଖାଦ୍ୟ ପଦାର୍ଥର ପୃଷ୍ଠରେ ଜୀବାଣୁ ଉପସ୍ଥିତ ଥାଆନ୍ତି ତେବେ ଏହା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ। ଘରୁ ପ୍ରସ୍ତୁତ କରି ନେଇଥିବା ଖାଦ୍ୟ ଅଫିସରେ ଆଉ ଥରେ ଗରମ କରି ଖାଆନ୍ତୁ।
ଅଫିସରେ ୱାସରୁମ ବ୍ୟବହାର ସମୟରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ । ଏହି ସମୟରେ, ଆପଣଙ୍କ ସହିତ ଏକ ହ୍ୟାଣ୍ଡ ସାନିଟାଇଜର ରଖିବା ଏବଂ ବ୍ୟବହାର କରିବା ଭଲ ।