ହାଇଦ୍ରାବାଦ: ମାନବ ସମାଜ ପ୍ରତି ଆହ୍ବାନ ପାଲଟିଛି ମହାମାରୀ କୋରୋନା ଭାଇରସ । ଏହି ଅଦୃଶ୍ୟ ଭାଇରସର ନିରାକରଣ ଓ ନିୟନ୍ତ୍ରଣ ପାଇଁ ବିଶ୍ବବ୍ୟାପୀ ଔଷଧ ବିଜ୍ଞାନ ଟିମ ପ୍ରୟାସ ଚଳାଇଛନ୍ତି । ଭାରତ ସମେତ ବିଶ୍ବର ଅନେକ ସ୍ଥାନରେ ଚିକିତ୍ସା ବୈଜ୍ଞାନିକ ଓ ଗବେଷକ ଏହି ଭାଇରସର ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟୀକା ପ୍ରସ୍ତୁତିରେ ଲାଗିଛନ୍ତି । ଏହି କ୍ରମରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଚେକ୍ନୋଲୋଜି(ଆଇଆଇସିଟି) ସାମିଲ ହୋଇଥିବା ଜଣାପଡିଛି । ଭାରତରେ କୋରୋନା ଭାଇରସର ନିର୍ଦ୍ଦିଷ୍ଟ ଚିକିତ୍ସା ପାଇଁ ସକରାତ୍ମକ ଢଙ୍ଗରେ କାର୍ଯ୍ୟ ଚାଲୁରହିଥିବା ନେଇ ବଡ ବୟାନ ଦେଇଛନ୍ତି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇଆଇସିଟି) ହାଇଦ୍ରାବାଦର ନିର୍ଦ୍ଦେଶକ ଡକ୍ଟର ଏସ୍ ଚନ୍ଦ୍ରଶେଖର ।
“କୋଭିଡ୍ -19 କୁ ନିୟନ୍ତ୍ରଣ କରିବା ପାଇଁ ଆମେ ବହୁମୁଖୀ ରଣନୀତି ସହିତ ଆଗକୁ ବଢୁଛୁ" ବୋଲି କହିଛନ୍ତି CSIR ର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇଆଇସିଟି) ହାଇଦ୍ରାବାଦର ନିର୍ଦ୍ଦେଶକ ଡକ୍ଟର ଏସ୍ ଚନ୍ଦ୍ରଶେଖର । ଶରୀରରେ ଭାଇରସ ବିରୁଦ୍ଧରେ ଲଢେଇ କରିପାରିବା ଭଳି ପ୍ରଭାବି ଔଷଧ ଉତ୍ପାଦନ କରାଯାଉଛି । ଏଥିସହିତ ଶରୀର ମଧ୍ୟକୁ ଏହି ଭାଇରସର ପ୍ରବେଶ ରୋକିବାକୁ ପ୍ରତିଷେଧକମୂଳକ ଟୀକାର ତିଆରି ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି।
କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ଲାବୋରେଟୋରୀଗୁଡିକ ଏହା ଉପରେ ଅନୁସନ୍ଧାନ କରୁଥିବା ଆଇଆଇସିଟି ପକ୍ଷରୁ କୁହାଯାଇଛି। ନିର୍ଦ୍ଦେଶକ ଡକ୍ଟର ଏସ୍ ଚନ୍ଦ୍ରଶେଖର Covid- 19 ପରୀକ୍ଷା, ସାମ୍ପ୍ରତିକ ସମୟର ଆହ୍ବାନ ଏବଂ ଉପଯୁକ୍ତ ଔଷଧ ତିଆରି ସ୍ଥିତିନେଇ ରାଜ୍ୟସଭା ଟିଭି ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ।
ରିଭର୍ସ ଇଞ୍ଜିନିୟରିଂ...
ଗତ 4 ମାସ ଧ କୋରୋନା ଭାଇରସ ଯୋଗୁଁ ମହମାରୀର ରୂପ ନେଇଥିବା କୋଭିଡ-19 ବିଶ୍ବକୁ ପ୍ରଭାବିତ କରିଛି । ଏତେ କମ୍ ସମୟ ମଧ୍ୟରେ ଏହାର ନିରାକରଣ ପାଇଁ ଉପଯୁକ୍ତ ଔଷଧ କିମ୍ବା ଭାକସିନ୍ ପ୍ରସ୍ତୁତ କରିବା ସମ୍ଭବ ହୋଇପାରିନାହିଁ ।
ତେବେ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଚେକ୍ନୋଲୋଜି ଏକ ନିଆରା ରିଭର୍ସ ଗିଅର ଇଂଞ୍ଜିନିୟରିଂ ପ୍ରଣାଳୀରେ ଔଷଧ ତିଆରି କରିବାର ରଣନୀତି ପ୍ରସ୍ତୁତ କରିଛି । ଯାହାକି ବିଶ୍ବ ସ୍ତରରେ ଉପଯୋଗୀ ହୋଇପାରିବ । ଯଦି ଦୁନିଆର କୌଣସି ସ୍ଥାନରେ କୌଣସି ନିର୍ଦ୍ଦିଷ୍ଟ ଔଷଧ ଉତ୍ପାଦିତ ହୁଏ ଏବଂ ଏହାର ପେଟେଣ୍ଟ ଥିଲେ ମଧ୍ୟ ଆଇସିଆଇଟି ଏହାକୁ ଏକ ଭିନ୍ନ ପ୍ରକ୍ରିୟାରେ ଉତ୍ପାଦନ କରେ ଯାହା ପ୍ରକୃତ ପ୍ରକ୍ରିୟା ତୁଳନାରେ ଶସ୍ତା ହୋଇଥାଏ |
ଏହି ଉପାୟରେ ସମାନ ଔଷଧର ମୂଲ୍ୟ ଶସ୍ତାରେ ଉପଲବ୍ଧ ହୋଇଥାଏ | ଜେନେରିକ୍ ମେଡିସିନର ଉତ୍ପାଦନ ମଧ୍ୟ ରିଭର୍ସ ଗିଅର ଇଞ୍ଜିନିୟରିଂ ମାଧ୍ୟମରେ କରାଯାଇଛି ।
ଦୁନିଆର କୌଣସି ଦେଶରେ କିଛି ଭାକସିନ କିମ୍ବା ଔଷଧ ତିଆରି ହେଲେ, ଏହାକୁ ଯଥାସମ୍ଭବ ଭାରତରେ ତିଆରି ପାଇଁ ପ୍ରୟାସ ହୁଏ । ସେଥିପାଇଁ ଦେଶର ବିଭିନ୍ନ ସ୍ଥାନରେ FDA ଅନୁମୋଦିତ ଉତ୍ପାଦନ ପ୍ଳାଣ୍ଟମାନ ମହଜୁଦ ରହିଛି ।
API ପର୍ଯ୍ୟନ୍ତ ...
ଗୁଜୁରାଟର ଏକ କମ୍ପାନୀ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଥିବା ଏକ CSIR ଆଧାରିତ ଲାବୋରେଟୋରୀରେ କୁଷ୍ଠ ରୋଗର ମୁକାବିଲା ପାଇଁ କିଛି ବର୍ଷ ପୂର୍ବେ ଏକ MW ଟୀକା ପ୍ରସ୍ତୁତ କରାଯାଇଥିଲା । ଯାହାକି କୋରୋନା ଭାଇରସ ଚିକିତ୍ସାରେ ଉପଯୋଗୀ ହେଉଥିବା ଜଣାପଡିଛି ।
ଏନେଇ ବର୍ତ୍ତମାନ ସମୟରେ ଦେଶର 4ଟି ହସ୍ପିଟାଲରେ ଟ୍ରାଏଲ ଟେଷ୍ଟ(ପରୀକ୍ଷାମୂଳକ) କରାଯାଉଥିବା କହିଛନ୍ତି ଡକ୍ଟର ଚନ୍ଦ୍ରଶେଖର । ବର୍ତ୍ତମାନ ଉପଲବ୍ଧ ଅନ୍ୟ ଔଷଧ ଗୁଡିକର ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଉପାଦାନ (API) ଟେକ୍ନୋଲୋଜି ମଧ୍ୟ ବିକଶିତ କରାଯାଉଛି । API ହେଉଛି ମୂଳ ଔଷଧ ଯାହା ପ୍ରତ୍ୟକ୍ଷ ଭାବେ ରୋଗର ଚିକିତ୍ସାରେ ବ୍ୟବହାର କରାଯାଇପାରିବ । ମାତ୍ର ଏହାକୁ ସିଧାସଳଖ ନିଆଯାଇପାରିବ ନାହିଁ । ସ୍ବାଦ ଏବଂ ରଙ୍ଗ ପାଇଁ ଅନ୍ୟ ରାସାୟନିକ ପଦାର୍ଥର ମିଶ୍ରଣ କରାଯାଏ | ଏହା ପରେ ଟ୍ୟାବଲେଟ୍ ଏବଂ ସିରପ୍ ଆକାରରେ ଔଷଧ ପ୍ରସ୍ତୁତ କରାଯାଏ | API ର ଟେକ୍ନୋଲୋଜି କୌଣସି ଔଷଧ ଉତ୍ପାଦନ ଶିଳ୍ପକୁ ସ୍ଥାନାନ୍ତରିତ ହେବା ପରେ ଏହି ସବୁ କରାଯାଇଥାଏ |
IICT ବୈଜ୍ଞାନିକମାନେ 4ସପ୍ତାହ ଧରି ଅବିଶ୍ରାନ୍ତ ଦିନ ରାତି ନିରନ୍ତର ଉଦ୍ୟମ କରି ଫାଭିପିରାଭିର ଔଷଧ API ବିକଶିତ କରିଛନ୍ତି । 99.99 ପ୍ରତିଶତ ଶୁଦ୍ଧତା ସହ ଏହି ଔଷଧ ପ୍ରସ୍ତୁତ ହୋଇଛି । ଚାଇନା ଓ ଜାପାନ ପରି ଦେଶରେ ଔଷଧ ଉତ୍ପାଦନରେ ଏହା ବହୁଳ ମାତ୍ରାରେ ବ୍ୟବହୃତ ହୁଏ ।
ବୃହତ ପରିମାଣରେ ଉତ୍ପାଦନ କରିବାକୁ ଏକ ଘରୋଇ ଫାର୍ମା କମ୍ପାନୀକୁ ଏହି ଟେକ୍ନୋଲୋଜିକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ଡକ୍ଟର ଚନ୍ଦ୍ରଶେଖର । ଡ୍ରଗ୍ କଣ୍ଟ୍ରୋଲର ଅନୁମୋଦନକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି । ଯାହା କ୍ଲିୟରାନ୍ସ ପର୍ଯ୍ୟାୟରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ