ଡେରାଡୁନ: ଦଣ୍ଡ ଭୋଗୁଛନ୍ତି 7 ବାଘ । ଅବିଶ୍ବାସ ହେଉଥିଲେ ମଧ୍ୟ କଥାଟି ସତ । ଦୃଶ୍ୟଟି ହେଉଛି ଡେରାଡୁନର ଚିଡିୟାପୁର ରେଞ୍ଜର । ସମାଜରେ ଶାନ୍ତି ଓ ସୁରକ୍ଷିତ ଜୀବନ ପାଇଁ ନିୟମକାନୁନ ରହିଛି । ଏହି ନିୟମ ଅନୁଯାୟୀ ଯେକୌଣସି ବ୍ୟକ୍ତି ଅପରାଧ ଘଟାଏ, ତାକୁ ଦଣ୍ଡବିଧାନ କରାଯାଏ । ତେବେ ଏଠାରେ ନିୟମରେ ବନ୍ଧା ହୋଇଛନ୍ତି ଏହି ବାଘମାନେ । ଉତ୍ତରାଖଣ୍ଡରେ ବିଭିନ୍ନ ସ୍ଥାନରୁ ଏମାନଙ୍କୁ ଅଣାଯାଇ ଏଠାରେ ରଖାଯାଇ ଦଣ୍ଡିତ କରିଛି ବନ ବିଭାଗ ।
ଡେରାଡୁନର ନଜୀବରୋଡ଼ରେ ଥିବା ଏହି ଚିଡି଼ଆପୁର ରେଞ୍ଜରେ ଦଣ୍ଡ ଭୋଗୁଥିବା ବାଘମାନେ ଦୀର୍ଘବର୍ଷରୁ ରହି ଆସୁଛନ୍ତି । ଦଣ୍ଡ ଭୋଗିବାର କାରଣ ମଣିଷମାନଙ୍କୁ ମାରି ସେମାନଙ୍କ ଆହାର କରିବା । ଏହି କାରଣରୁ ସେମାନ ଜଙ୍ଗଲ ବଦଳରେ ତାରଜାଲି ଘରେ ବନ୍ଦ ରହିଛନ୍ତି । ତେବେ ବନ୍ଦ ଥିବା ବାଘଙ୍କ ମଧ୍ୟରେ ନନ୍ଦୁ, ବାବୁ, ମମତା ଓ ହୀନା ସବୁଠାରୁ ଅଧିକ ହିଂସ୍ର ବୋଲି ବନବିଭାଗ କହିଛି ।
ମଙ୍ଗଳବାର ରୁହନ୍ତି ଉପବାସ
ତେବେ ଏହି ଦଣ୍ଡ ଭୋଗୁଥିବା ବାଘମାନଙ୍କୁ ମଙ୍ଗଳବାର ଉପବାସରେ ରଖାଯାଏ । ତେବେ ବନ୍ଦ ଥିବା ବାଘମାନେ ଦିନକୁ 3 କିଲୋ ମାଂସ ଖାଇଥାନ୍ତି । ଏମାନଙ୍କ ଦେଖାରେଖା କରିବା ପାଇଁ 7 ଜଣ ଲୋକ ନିୟୋଜିତ ହୋଇଥାନ୍ତି । ପୂର୍ବରୁ ଏମାନଙ୍କ ପାଇଁ ଉତ୍ତରପ୍ରଦେଶର ସାହାରନପୁରରୁ ମାଂସ ଅଣାଯାଉଥିଲା । ମାତ୍ର ଏବେ ନିକଟସ୍ଥ ଅଞ୍ଚଳରୁ ଆସୁଛି ।
ତେବେ ଏମାନଙ୍କ ଭିତରେ ବାଘୁଣୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ଏହି ବାଘୁଣୀ ସବୁଠାରୁ ଅଧିକ ଶିକାର କରିଛି ବୋଲି ବନବିଭାଗ କହିଛି । ତେବେ ଦୀର୍ଘ ଦିନ ବନ୍ଦ ରହିବା କାରଣରୁ ସେମାନଙ୍କ ସ୍ବଭାବରେ ପରିବର୍ତ୍ତନ ଆସିଥିବା ବନ ବିଭାଗ ପ୍ରକାଶ କରିଛି ।
ଏମାନଙ୍କ ଦେଖାଶୁଣା କରିବା ପାଇଁ ହରିଦ୍ବାର ଡିଏଫଓ ଆକାଶଙ୍କୁ ନିୟୋଜିତ କରାଯାଇଛି । କେଉଁ ବାଘ କେଉଁ ପରିସ୍ଥିତିରେ ରହିଛି, ତାହାର ଗତିବିଧି ଉପରେ କଡ଼ା ନଜର ରଖାଯାଉଥିବା ଆକାଶ କହିଛନ୍ତି ।