କିସ୍ତୱାଡ: ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନଲୋଭା ସ୍ଥାନ ପାଇଁ ବିଶ୍ୱ ପ୍ରସିଦ୍ଧ ଜମ୍ମୁକାଶ୍ମୀର । ଏହାକୁ ହେଭେନ ଅନ ଆର୍ଥ, ଜନ୍ନତ ବା ଭୂସ୍ବର୍ଗ ବି କୁହାଯାଇଥାଏ । କାଶ୍ମୀରର ପାଣି ପବନରେ ଏକ ନିଆରା ଅନ୍ଦାଜ ରହିଛି । ଆଉ ପୃଥିବୀ ପୃଷ୍ଠରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନ ଭଗବାନଙ୍କ ଏକ ଉପହାର କହିଲେ ଅତ୍ୟୁକ୍ତି ହେବନାହିଁ ।
ଜମ୍ମୁ-କାଶ୍ମୀରରେ ଅନେକଗୁଡିଏ ହ୍ରଦ, ନଦୀ, ଝରଣା, ଶାଖା ନଦୀ ଏବଂ ଗ୍ଲେସିୟର ରହିଛି । ଏମାନଙ୍କ ମଧ୍ୟରୁ ସତେଜ ଏବଂ ସ୍ବଚ୍ଛ ଗରମ ପାଣିର ଝରଣା ଅନ୍ୟତମ । କାଶ୍ମୀରର ମୂଳଭାଷାରେ ଏହାକୁ ତତ୍ତାପାଣି କୁହାଯାଏ । ଆଉ ଶିକ୍ଷିତ ଲୋକମାନେ ଏହାକୁ ହାଇଡ୍ରୋଥର୍ମାଲ ଏବଂ ଜିଓଥର୍ମାଲ ସ୍ପ୍ରିଙ୍ଗ୍ସ ଭାବେ ଜାଣନ୍ତି । କୁହାଯାଏ ଯେ, ଜମ୍ମୁକାଶ୍ମୀର ଓ ଲଦାଖରେ ପାଖାପାଖି 20ଟି ଗରମ ପାଣି ବହୁଥିବା ଝରଣା ରହିଛି । ଏହି ଝରଣା ଅଚାନକ ପୃଥିବୀପୃଷ୍ଠରେ ନଜର ଆସିଥାଏ । ଏହି ଝରଣା ଗୁଡିକରୁ ଅଧିକାଂଶ ଝରଣା ପାଣିରେ ମ୍ୟାଗ୍ନେସିୟମ, ପୋଟାସିୟମ, ସୋଡିୟମ ଏବଂ ସଲଫର ରସାୟନ ମିଶିଥାଏ । ଯାହା ଔଷଧୀୟ ଗୁଣ ସମ୍ମନ୍ନ ।
ସବୁଠାରୁ ଲୋକପ୍ରିୟ ଗରମ ପାଣି ଝରଣା ମଧ୍ୟରୁ ଗୋଟିଏ ଲଦାଖରେ ଏବଂ 2ଟି ଲେଖାଏଁ କିସ୍ତୱାଡ ଏବଂ ରାଜୌରୀ ଜିଲ୍ଲାରେ ରହିଛି । ଲୋକମାନେ ବେଶ ଶ୍ରଦ୍ଧା ଏବଂ ପବିତ୍ରତା ସହ ଏହି ଝରଣାରେ ବୁଡ ପକାଇବାକୁ ଏଠାକୁ ଆସିଥାନ୍ତି । ବିଶ୍ବାସ ରହିଛି ଯେ, ଏହି ପାଣିରେ ଅଲୌକିକ ଶକ୍ତି ରହିଛି । ଏହା ବି ମାନ୍ୟତା ରହିଛି ଯେ ଏହି ଝରଣା ପାଣି ଚର୍ମଜନିତ ରୋଗ ଏବଂ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ପାଇଁ ଏକ ପ୍ରକାର ମହୌଷଧୀ ସଦୃଶ ।
ତେବେ ଏହି ଗରମ ପାଣିର ଝରଣା ଦେଖିବାକୁ ଇଟିଭି ଭାରତ ଟିମ୍ ପହଞ୍ଚିଥିଲା ଜମ୍ମୁର କିସ୍ତୱାଡ ଜିଲ୍ଲାର ପୀର ପଞ୍ଜାଲ ରେଞ୍ଜର ମଡୱା-ବଡୱାନ ଅଞ୍ଚଳରେ ଥିବା ଅନେକ ପ୍ରସିଦ୍ଧ ଗରମ ପାଣି ଝରଣାର ଗୋଟିଏ ଝରଣା ପାଖରେ । ବାସ୍ତବରେ ଏହି ଝରଣାର ପାଣି ଗରମ ଥିଲା । ଏଠାକାର ଲୋକ ଗରମ ପାଣିର ଏହି ଝରଣାକୁ ଭଗବାନଙ୍କ ଚମତ୍କାର ମାନନ୍ତି । କେତେକ କୁହନ୍ତି କି ଏହି ଝରଣା ପାଣିରେ ମହୌଷଧୀ ରହିଛି । ଏହି ସ୍ଥାନ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ସହରଠାରୁ ପ୍ରାୟ 150 କିଲୋମିଟର ଦୂରରେ ରହିଛି । ଶୀତଦିନେ ଏହି ସ୍ଥାନକୁ ଯିବା ସମ୍ଭବ ନୁହେଁ, କାରଣ ବରଫ ଦ୍ବାରା ଏହି ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥାଏ ।
ଏଠାକୁ ଯାତ୍ରା ସମ୍ପୂର୍ଣ୍ଣ କଠିନ । କାରଣ ଗରମ ପାଣିର ଏହି ଝରଣା ନିକଟରେ ପହଞ୍ଚିବାକୁ ପାଖାପାଖି 5 କିମି ପାଦରେ ଚାଲିବାକୁ ପଡିଥାଏ । ଦୀର୍ଘ ସମୟ ଧରି ଲୋକମାନେ ଏହି ସ୍ଥାନକୁ ଆସୁଥିଲେ ହେଁ ଏଠାର ଖାଲଢିପ ରାସ୍ତାକୁ ସରକାର କେବେ ମଧ୍ୟ ପକ୍କା କରିବାକୁ ଚେଷ୍ଟା କରିନାହାନ୍ତି । ଇତିମଧ୍ୟରେ ଅନେକ ବର୍ଷ ବିତିଯାଇଛି ତଥାପି କୌଣସି ପରିବର୍ତ୍ତନ ଆସିନାହିଁ । ତେବେ ସରକାରଙ୍କୁ ଏହି ସ୍ଥାନର ଭିତ୍ତିଭୂମିକୁ ସୁଦୃଢ କରିବାର ଆବଶ୍ୟକ ରହିଛି, ଯଦ୍ବାରା ବିନା କୌଣସି ସମସ୍ୟାରେ ଲୋକେ ଏଠି ଯାତ୍ରା କରିପାରିବେ । ଏଥିସହିତ ଯାତ୍ରୀଙ୍କ ପାଇଁ ରହିବା ବ୍ୟବସ୍ଥା କରିବାର ମଧ୍ୟ ଆବଶ୍ୟକ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ