କୋଲକାତା: କୋରୋନା କବଳରେ କବଳିତ ବିଶ୍ବ । ଏହାର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତ ଦେଶ ଯାଥାସମ୍ଭବ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏପଟେ ମହାମାରୀ ପାଇଁ ସମସ୍ତ ପୂଜାପର୍ବାଣ ମଧ୍ୟ ଠପ୍ ହୋଇଯାଇଛି ।
ଆଗକୁ ଦୂର୍ଗା ପୂଜା ଥିବା ହେତୁ ମୂର୍ତ୍ତି କାରିଗର ମଧ୍ୟ ହତାଶ ହୋଇଛନ୍ତି । ଏହା ମଧ୍ୟରେ ଉତ୍ତର କୋଲକାତାର ଜଣେ ମୂର୍ତ୍ତି କାରିଗର ଦେବୀ ଦୂର୍ଗାଙ୍କ ଫାଇବରରେ ନିର୍ମିତ ପ୍ରତିମାକୁ ଅଷ୍ଟ୍ରେଲିଆ ପଠାଇଛନ୍ତି । ତେବେ ସେ ବୁଧବାର ମେଲବୋର୍ଣ୍ଣକୁ ଫାଇବର ଗ୍ଲାସ୍ ନିର୍ମିତ ପ୍ରତିମା ପଠାଇବା ପରେ ଆଉ ଏକ ମୂର୍ତ୍ତି ଜର୍ମାନୀ ପଠାଇବାରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଅଷ୍ଟ୍ରେଲିଆକୁ ମୂର୍ତ୍ତି ପଠାଯିବା ପୂର୍ବରୁ ଫାଇବର ଗ୍ଲାସରେ ପ୍ରସ୍ତୁତ ସେହି ପ୍ରତିମାକୁ ସାନିଟାଇଜ କରାଇଥିବା କହିଛନ୍ତି ।
ତାଙ୍କ କହିବା ଅନୁଯାୟୀ, ଏହା ମୂର୍ତ୍ତି କାରିଗରଙ୍କୁ ଏକ ନୂଆ ଆଶା ଦେଇଛି । କାରଣ କୋରୋନା ପାଇଁ ଏଥର କାରିଗରଙ୍କୁ କମ୍ ଅର୍ଡର ମିଳିଛି । ଏହାସହ ଚଳିତ ବର୍ଷ ଅନେକ ବୁକିଂ ମଧ୍ୟ ବାତିଲ୍ ହୋଇଛି । ସେ ଚଳିତବର୍ଷ ବିଦେଶରୁ କେବଳ ନଅଟି ଅର୍ଡର ପାଇଛନ୍ତି । ଯାହା ପୂର୍ବ ବର୍ଷ ତୁଳନାରେ 32 ପ୍ରତିଶତ ହ୍ରାସ ପାଇଛି । ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ବ୍ୟତୀତ ତାଙ୍କ ଦ୍ବାରା ନିର୍ମିତ ପ୍ରତିମାଗୁଡିକ ଚଳିତ ବର୍ଷ କାନାଡା, ଆମେରିକା ଏବଂ ବ୍ରିଟେନକୁ ପଠାଯିବ ବୋଲି ସେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଦୂର୍ଗା ପୂଜା ସମୟରେ ଏନଆରଆଇଙ୍କ ମଧ୍ୟରେ ହାଲୁକା ଫାଇବର ଗ୍ଲାସ ପ୍ରତିମାଗୁଡିକର ଚାହିଦା ଅଧିକ ଥାଏ । ତେଣୁ ସେମାନେ ପ୍ରତିବର୍ଷ ଏହିପ୍ରକାର ମୂର୍ତ୍ତି ପାଇଁ ଭାରତରେ ଅର୍ଡର ଦେଇଥାଆନ୍ତି ।