ଚେନ୍ନାଇ: ଭଗବାନ ଖେଳୁଛନ୍ତି କ୍ରିକେଟ । ଅଗ୍ର ପୂଜ୍ୟ ବିଘ୍ନ ବିନାଶକ ଗଣପତି କରୁଛନ୍ତି ବୋଲିଂ । ଲଡୁ ବଦଳରେ ହାତରେ ଅଛି ବ୍ୟାଟ-ବଲ୍ । ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଗଣେଶ କ୍ରିକେଟ ଖେଳୁଥିବା ଦୃଶ୍ୟ କୌଣସି ଟିଭି କିମ୍ବା କାଟୁନରେ ନୁହେଁ ବରଂ ଏଭଳି ଦୃଶ୍ୟ ଏକ ମନ୍ଦିରରେ ଦେଖିବାକୁ ମିଳିଛି । 'କ୍ରିକେଟ ଗଣେଶ ମନ୍ଦିର' ନାମକ ମନ୍ଦିରରେ କ୍ରିକେଟ ଖେଳନ୍ତି ଗଣପତି ।
ତାମିଲନାଡୁରେ କେଆର ରାମକ୍ରିଷ୍ଣା ହେଉଛନ୍ତି ଭଗବାନ ଗଣେଶଙ୍କ ଭକ୍ତ । ଏହାସହ ସେ କ୍ରିକେଟ ପ୍ରେମି ମଧ୍ୟ । ଭଗବାନଙ୍କ ଉପରେ ଶ୍ରଦ୍ଧା ଆଉ କ୍ରିକେଟକୁ ଭଲପାଉଥିବା ଏହି ବ୍ୟକ୍ତି ଜଣକ ଉଭୟଙ୍କୁ ମିଶାଇ ଗୋଟେ ରୂପ ଦେଇଛନ୍ତି । ଭଗବାନ ଗଣେଶ କ୍ରିକେଟ ଖେଳୁଥିବା ମନ୍ଦିର ପ୍ରତିଷ୍ଠା କରିଛନ୍ତି । ଏହି ମନ୍ଦିରରେ ଥିବା ସମସ୍ତ ଗଣେଶ ମୂର୍ତ୍ତି ଦେଖିବାକୁ ବାକି ଗଣେଷଙ୍କଠାରୁ ଭିନ୍ନ ।
ଏହି ମନ୍ଦିରରେ ଥିବା ସମସ୍ତ ଗଣେଶ ବ୍ୟାଟ୍ସ ମ୍ୟାନ, ବୋଲର, ଅମ୍ପେୟାର, ଫିଲଡର ଅବତାର ଧାରଣ କରିଛନ୍ତି । ଏହା ଦେଖିବାକୁ ଯେତିକି ଆକୃଷ୍ଟ ସେତିକି ନିଆରା ମଧ୍ୟ । ବର୍ତ୍ତମାନ କ୍ରିକେଟ ବିଶ୍ବକପ ଚାଲିଛି । ଆଉ ଏହି 'କ୍ରିକେଟ ଗଣେଶ ମନ୍ଦିର' ମଧ୍ୟ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି । ଏନେଇ ରାମକ୍ରିଷ୍ଣା କହିଛନ୍ତି, 'ବିଶ୍ବକପରେ ଭାରତର ବିଜୟ ପାଇଁ ପ୍ରତି 4 ବର୍ଷକୁ ଥରେ ଏହି ମନ୍ଦିରରେ ପୂଜା କରୁ ।'