ଥିରୁଅନନ୍ତପୁରମ: ଅନ୍ତର୍ଜାତୀୟ ମହିଳା ଦିବସରେ ସମାଜରେ ମହିଳାଙ୍କୁ ସମାନତା ଓ ସ୍ବାଧୀନତାର ଅଧିକାର କଥାକୁ ନେଇ ଚାରିଆଡେ ଚାଲିଥିଲା ଜୋରସୋର ନାରାବାଜି । ହେଲେ କେରଳରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ । ମହିଳା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟରୁ ମହିଳାମାନଙ୍କୁ ନିବୃତ୍ତ କରାଯାଇ ସ୍ବତନ୍ତ୍ର ଅନୁଭବ କରାଯାଇଥିବା ବେଳେ କେରଳରେ ଦେଖିବାକୁ ମିଳିଥିଲା ଏହାର ଠିକ ବିପରୀତ ଚିତ୍ର ।
କେରଳ ଡିଜିପି ଲୋକନାଥ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏହି ଦିନ ସମ୍ପୂର୍ଣ୍ଣ ରାଜ୍ୟରେ ସୁରକ୍ଷା ଦାୟିତ୍ବ ଗ୍ରହଣ କରିଥିଲେ ସଶକ୍ତ ମହିଳାମାନେ । ନାରୀ ଆଉ ଅବଳା କି ଦୁର୍ବଳା ହୋଇ ରହି ନାହିଁ । ସେମାନେ ଘରକୁ ଯେପରି ସୁନ୍ଦର ଭାବେ ଗଢି ତୋଳି ପାରନ୍ତି, ଘର ବାହାରେ ସମାଜରେ ମଧ୍ୟ ବହନ କରନ୍ତି ଗୁରୁ ଦାୟିତ୍ବ । ଏହାକୁ ପ୍ରମାଣ କରିବା ସହ ନାରୀଶକ୍ତିର ନିଦର୍ଶନ ଦେଇ ତାଙ୍କରି କାନ୍ଧରେ ଦାୟିତ୍ବ ଦେଇଥିଲେ ଡିଜିପି ।
କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସୁରକ୍ଷା ଦାୟିତ୍ବରେ ମଧ୍ୟ ଦିନ ତମାମ ମହିଳା କମାଣ୍ଡୋମାନେ ନିୟୋଜିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘର ଓ ଅଫିସ ବାହାର ସହ ଏସ୍କର୍ଟରେ ମଧ୍ୟ ସାମିଲ ରହିଥିଲେ ମହିଳା କମାଣ୍ଡୋ। ଏହାଛଡା ରାଜ୍ୟର ସମସ୍ତ ପୋଲିସ ଷ୍ଟେସନର ଦାୟିତ୍ବ ନେଇଥିଲେ ଷ୍ଟେସନ ହାଉସ ଅଫିସର୍ସ । ଏନେଇ ଦିନକ ପୂର୍ବରୁ ସମସ୍ତ ଦାୟିତ୍ବ ମହିଳାମାନଙ୍କୁ ନ୍ୟସ୍ତ କରିଥିଲେ ଡିଜିପି ଲୋକନାଥ ।
ବାସ୍ତବରେ ମହିଳା ଦିବସରେ କେରଳରେ କାର୍ଯ୍ୟରତ ମହିଳା କମାଣ୍ଡୋମାନେ ସମାନତା କ୍ଷେତ୍ରରେ ସୃଷ୍ଟି କରିଛନ୍ତି ନିଆରା ଉଦାହରଣ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ