ଥିରୁନନ୍ତପୁରମ: କରିପୁରରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ 30 ଜଣିଆ ଟିମ ଗଠନ କରିଛି କେରଳ ପୋଲିସ । ମାଲପୁରମ ଅତିରିକ୍ତ ଏସପି ଜି.ସବୁ ଏହି ଟିମର ନେତୃତ୍ବ ନେବେ । ସେହିପରି ମାଲପୁରମ ଡିଏସପି ହରୀଦସନ ଏଥିରେ ମୁଖ୍ୟ ତଦନ୍ତକାରୀ ଅଫିସର ରହିବେ ବୋଲି ଜଣାପଡିଛି ।
ଅନ୍ୟପକ୍ଷେ ପେରିନ୍ଥାଲମନ୍ନା ଏଏସପି ହେମଲତା, ଏନ୍ସପେକ୍ଟର ସିବୁ, ଏ.ଏମ ବିଜୁ, ସୁନୀଶ. ପି, ଥାନକାନଞ୍ଚନ ମଧ୍ୟ ଏହି ଟିମରେ ସାମିଲ ରହିଛନ୍ତି ।
ଶୁକ୍ରବାର ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ଏକ ବିମାନ କରିପୁର ସ୍ଥିତ କୋଝିକୋଡ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ସମେତ ମୋଟ 190 ଜଣଙ୍କୁ ନେଇ ଦୁବାଇରୁ କେରଳ ଫେରୁଥିବା ବେଳେ କୋଝିକୋଡ ବିମାନ ବନ୍ଦର ରନୱେରେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ଯେଉଁଥିରେ 123 ଜଣ ଆହତ ହୋଇଥିବା ବେଳେ 19 ଜଣ ପ୍ରାଣ ହରାଇଛନ୍ତି । ଗୁରୁତର ଆହତଙ୍କୁ କୋଝିକଡର 7ଟି ବିଭିନ୍ନ ହସପିଟାଲରେ ଚିକିତ୍ସା କରାଯାଉଛି । ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।