ନୂଆଦିଲ୍ଲୀ: ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଥିବା କୋରୋନା ଭାଇରସ୍ କବଳରେ ଆସିଛନ୍ତି ଜଣେ ଭାରତୀୟ ନର୍ସ । ଏହି ଭାଇରସ୍ ଚିହ୍ନଟ ହୋଇଥିବା ନର୍ସ ଜଣକ କେରଳର ହୋଇଥିବା ବେଳେ ସେ ସାଉଦି ଆରବରେ କାର୍ଯ୍ୟରତ ଅଛନ୍ତି । ଏନେଇ ଗୁରୁବାର କେନ୍ଦ୍ରମନ୍ତ୍ରୀ ଭି ମୁରଲିଧରନ ସ୍ପଷ୍ଟ କରିଛନ୍ତି ।
ମୁରଲିଧରନ ଏନେଇ ଟ୍ବିଟ କରି କହିଛନ୍ତି, 'ସାଉଦି ଆରବ ରିଆଦର ଅଲ ହୟାତ ଡାକ୍ତରଖାନାରେ ଭାରତର ପ୍ରାୟ 100 ନର୍ସ କାମ କରନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କେରଳର ହୋଇଥିବା ବେଳେ ଏହି ସମସ୍ତଙ୍କର ପରୀକ୍ଷଣ ହୋଇଥିଲା । ତେବେ 100 ଜଣଙ୍କ ମଧ୍ୟରୁ ଜଣେ ନର୍ସଙ୍କଠାରେ ଏହି ଭୂତାଣୁ ଟିହ୍ନଟ ହୋଇଛି । ତାଙ୍କୁ ଅସୀର ନ୍ୟାଶନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । '
ସେପଟେ ସଂପୃକ୍ତ ନର୍ସଙ୍କୁ ଉପଯୁକ୍ତ ଚିକିତ୍ସା ଯେପରି ମିଳିପାରିବ ସେନେଇ ବ୍ୟବସ୍ଥା କରିବାକୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଜରିଆରେ ସାଉଦି ସରକାରଙ୍କୁ ଅନୁରୋଧ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ । ନର୍ସ ଜଣଙ୍କ କେରଳ କୋଟ୍ଟାୟାମ ଜିଲ୍ଲାର ବୋଲି ଜଣାପଡିଛି ।