ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ଯ ସଡକ ପରିବହନ ନିଗମ(ଟିଏସଆରଟିସି)ରେ କାର୍ଯ୍ୟରତ ବସ କର୍ମଚାରୀ ଓ ସରକାରଙ୍କ ମଧ୍ୟରେ ବିବାଦ ଚରମ ସ୍ଥିତିରେ ପହଞ୍ଚିଛି । ଉଭୟ ପକ୍ଷ ନିଜ ଜିଦରେ ଅଟଳ ଥିବାବେଳେ ସରକାର ଗ୍ରହଣ କରିଛନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ। ନିର୍ଦ୍ଧାରିତ ସମୟସୀମା ପାର କରିଥିବାରୁ 48 ହଜାରକୁ ଛଟେଇ କରିଛି ଟିଏସଆରଟିସି।
ଆନ୍ଦୋଳନରତ କର୍ମଚାରୀଙ୍କୁ ସରକାର ଶନିବାର ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଡେଡଲାଇନ ଦେଇଥିଲେ ତେଲଙ୍ଗାନା ସରକାର । ତେବେ ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟରେ ଯୋଗ ଦେବେ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ନେଇନଥିଲେ । ଫଳରେ ସରକାରଙ୍କ ଘୋଷଣା ଅନୁସାରେ ସେମାନେ ଚାକିରୀରୁ ଛଟେଇ ହୋଇଛନ୍ତି।
ତେବେ ସରକାରଙ୍କ ନିଷ୍ପତ୍ତିକୁ କର୍ମଚାରୀ ସଙ୍ଘ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ଟିଏସଆରଟିସି କର୍ମଚାରୀ। ତେବେ ତେଲଙ୍ଗାନା ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିବା ସହ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଟିଏସଆରଟିସି କର୍ମଚାରୀ ନିଜେ ନିଜର ଗୋଡ କାଟିଛନ୍ତି । ସେମାନେ ଯେଉଁ ଡାଳରେ ବସିଥିଲେ ତାହାକୁ ନିଜେ କାଟିଛନ୍ତି । କେହି କାହାରିକୁ ବାହାର କରିନାହାଁନ୍ତି । ସେମାନେ ନିଜେ ବାହାରି ଯାଇଛନ୍ତି । ଏଥିପାଇଁ ସରକାରଙ୍କୁ ଦାୟୀ କରି ଲାଭ ନାହିଁ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ସେମାନଙ୍କ ହିତ ପାଇଁ କାମ କରୁଛନ୍ତି । ମାତ୍ର କର୍ମଚାରୀଙ୍କ ଜିଦ ସେମାନଙ୍କ ଚାକିରୀ ନେଇଛି । ଏବେ ମାତ୍ର 1200 କର୍ମଚାରୀ ଟିଏସଆରଟିସିରେ କାମ କରୁଛନ୍ତି । କୌଣସି ପରିସ୍ଥିତିରେ ପୁରୁଣା କର୍ମଚାରୀଙ୍କୁ ଫେରାଇ ଆଣି ହେବ ନାହିଁ । ଏପରିକି ଟିଏସଆରଟିସିର ମିଶ୍ରଣକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପାର୍ବଣ ଋତୁରେ ବସ ଆନ୍ଦୋଳନ ଯୋଗୁଁ ତେଲଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ ପ୍ରାୟ 1200 କୋଟି ଟଙ୍କାର କ୍ଷତି ସହିଛି।