ବେଙ୍ଗାଲୁରୁ: ପିଲାଙ୍କ ଜିଦ୍ ଆଗରେ ଫିକା ମାଆର ଦାମି ଅଳଙ୍କାର। ସେ ତାର ସନ୍ତାନ ସନ୍ତତିଙ୍କ ଖୁସି ପାଇଁ ସବୁ କିଛି ଜଳାଞ୍ଜଳୀ ଦେଇପାରେ। ତେବେ ମା ତାର ପିଲାଙ୍କ ପାଇଁ ଅନେକ କିଛି କରିଥିବାର ନଜିର ରହିଥିବା ବେଳେ ଏବେ ଯେଉଁଭଳି ଖବର ଆସିଛି ତାହା ଅତ୍ୟନ୍ତ ମର୍ମଭେଦୀ। ପିଲାର ଭବିଷ୍ୟତ ପାଇଁ ଜଣେ ମା ତାର ସଧବା ହେବା ପରିଚୟକୁ ବନ୍ଧା ପକାଇବାକୁ ବାଧ୍ୟ ହୋଇଛି ।
କର୍ଣ୍ଣାଟକ ଗଡାଗ ଜିଲ୍ଲାର ନାଗାନୁର ଗାଁର କସ୍ତୁରୀ ଚାଲାଭାଡିଙ୍କ ଚାରୋଟି ସନ୍ତାନ । ପିଲାଙ୍କ ପାଇଁ ଟିଭି କିଣିବାକୁ ସେ ନିଜର 12 ଗ୍ରାମ ସୁନାକୁ ବନ୍ଧକ ପକାଇଛନ୍ତି । କେବଳ ଏଥିପାଇଁ ଯେ ତାର ପିଲାମାନେ କୋରୋନା ଲକଡାଉନ ସମୟରେ ଘରେ ବସି ପାଠପଢି ପାରିବେ ।
ବର୍ତ୍ତମାନ ସଂକ୍ରମଣ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଦୂରଦର୍ଶନ ମାଧ୍ୟମରେ ପିଲାଙ୍କୁ ଘରେ ବସି ଶିକ୍ଷା ଦିଆଯାଉଛି । ଘରେ ଟିଭି ନଥିବାରୁ ପଡୋଶୀ ଘରକୁ ଯାଇ ପାଠପଢୁଥିଲେ । ହେଲେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପିଲାଙ୍କୁ ସବୁବେଳେ ବାହାରକୁ ଛାଡିବା ମଧ୍ୟ ବିପଦ । ଏପରିକି କ୍ଲାସ ପାଇଁ ଟିଭିର ଆବଶ୍ୟକତା ରହିଛି ବୋଲି ସ୍କୁଲ ଶିକ୍ଷକ କହିଥିଲେ ।
ମହିଳାଙ୍କ ସ୍ୱାମୀ ମୁତାପ୍ପା ଜଣେ ଦିନ ମଜୁରିଆ । କୋରୋନା ଭାଇରସ୍ ସଙ୍କଟ ହେତୁ ସେ କୌଣସି କାମ ଧନ୍ଦା ନଥିବାରୁ ଘର ଚଳାଇବା କଷ୍ଟ ହୋଇପଡିଛି । ଏପରି ସ୍ଥିତିରେ ଟିଭି କିଣି ବା ତାଙ୍କ ପକ୍ଷେ ସମ୍ଭବ ନ ନୁହେଁ । ଫଳରେ କସ୍ତୁରୀ ବାଧ୍ୟ ହୋଇ ନିଜର ପିଲାଙ୍କ ଭବିଷ୍ୟତ ପାଇଁ ସୁନା ବନ୍ଧକ ରଖିଥିଲେ ।
ସେପଟେ ଏହି ଘଟଣା ବିଷୟରେ ସ୍ଥାନୀୟ ତହସିଲଦାର ଜାଣିବା ପରେ ଘଟଣାର ଯାଞ୍ଚ କରିଥିଲେ । ସୁନା ବେପାରି ଜଣକ ତାଙ୍କର ସୁନା ଫେରାଇବା ସହ ନିଜ ସୁବିଧାରେ ଟଙ୍କା ଦେବାକୁ କହିଛନ୍ତି ।
ଏହି ଘଟଣା ପ୍ରଘଟ ହେବା ପରେ କିଛି ସ୍ଥାନୀୟ ଲୋକେ ପରିବାରକୁ ଟଙ୍କା ଜମା କରି ଦେଇଥିଲେ । ଏଥିସହ କିଛି ରାଜନେତା ମଧ୍ୟ ଏଥିରେ ଯୋଗ ଦେଇଥିଲେ। କଂଗ୍ରେସ ବିଧାୟକ ଜାମିର ଅହମ୍ମଦ 50,000 ଟଙ୍କା ଏବଂ ରାଜ୍ୟ ମନ୍ତ୍ରୀ ସିସି ପାଟିଲ 20,000 ଟଙ୍କା ପଠାଇଛନ୍ତି।