ଲକ୍ଷ୍ନୌ: ଆଖି ବୁଜିଲେ ଫତେହପୁରରେ ଦୁଷ୍କର୍ମ ପୀଡ଼ିତା । ଗୁରୁବାର ଉତ୍ତରପ୍ରଦେଶର ଫତେହପୁରର ଦୁଷ୍କର୍ମ ପୀଡ଼ିତାଙ୍କର କାନପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଗତ ଶନିବାର ମହିଳା ଜଣଙ୍କ ତାଙ୍କ ଘରେ ଏକୁଟିଆ ଥିବାବେଳେ ତାଙ୍କ ସମ୍ପର୍କୀୟ ଦାଦା(22) ଘରେ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ତାଙ୍କୁ ରୋକିବାରୁ ଏଥିରେ ରାଗିଯାଇ ସେ ମହିଳାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ।
ଏହାପରେ ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକେ ତାଙ୍କ ପାଖରେ ପହଞ୍ଚି ନିଆଁ ଲିଭାଇ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଥିଲେ । ମେଡିକାଲ ପହଞ୍ଚିବେଳକୁ ମହିଳାଙ୍କ ଶରୀରର 90 ପ୍ରତିଶତ ଜଳିଯାଇଥିଲା । ତେବେ ମେଡିକାଲରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ପୀଡ଼ିତାଙ୍କୁ କାନପୁର ସ୍ଥାନାନ୍ତର କରାଯାଇଥିଲା ।
ଏପଟେ ଏହି ଘଟଣା ପରେ ପରିବାର ପକ୍ଷରୁ ଥାନାରେ ଏନେଇ ଏକ ଅଭିଯୋଗ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁଷ୍କର୍ମକାରୀକୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା । କିଛିଦିନ ପରେ ପୋଲିସ ଅଭିଯୁକ୍ତ ଦାଦାକୁ ଗିରଫ କରିବାରେ ସଫଳ ହୋଇଥିଲା ।
ମାତ୍ର ପୀଡିତା କାନପୁର ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଦୁଇ ଦିନ ପୂର୍ବରୁ ତାଙ୍କର ଅବସ୍ଥା ଆହୁରି ସଙ୍କଟାପନ୍ନ ଆଡ଼କୁ ଗତି କରିଥିଲା । ଯାହାଫଳରେ ପୀଡ଼ିତାଙ୍କୁ କୋମାରେ ଭର୍ତ୍ତି କରାଯାଇଥିଲା । ତେବେ ଗୁରୁବାର ଭୋର ସକାଳୁ ପୀଡ଼ିତାଙ୍କ ମୃତ୍ୟୁ ହୋଇଯାଇଛି ।