ନୂଆଦିଲ୍ଲୀ: ଭାରତରେ ଜନ୍ମିତ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କର ଆଜି ପୁଣ୍ୟତିଥି । 2003 ମସିହା ଫେବୃଆରୀ 1 ତାରିଖରେ ସେ ବିଦାୟ ନେଇଥିଲେ। ତାଙ୍କର ଦ୍ବିତୀୟ ମହାକାଶ ଯାତ୍ରା ଶେଷ ଯାତ୍ରା ପାଲଟିଯାଇଥିଲା । ଏହି ଅବସରରେ ଟ୍ବିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ ଲେଖିଛନ୍ତି, ‘ମହାକାଶରେ ଯାତ୍ରା କରିଥିବା ପ୍ରଥମ ଭାରତୀୟ ମହିଳା କଳ୍ପନା ଚାୱଲାଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ । ସେ ଭାରତର ଗର୍ବ ଏବଂ ଗୌରବ । କଳ୍ପନାଙ୍କ ଉପଲବ୍ଧି ଆଗାମୀ ଯୁବପିଢି ପାଇଁ ବିଶେଷ କରି ବିଶ୍ବର ମହିଳାଙ୍କ ପାଇଁ ପ୍ରେରଣାଦାୟୀ। ’
ସୂଚନାଯୋଗ୍ୟ ଯେ, କଳ୍ପନା ଚାୱଲା କଲମ୍ବିଆ ମହାକାଶଯାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଫେବୃୟାରୀ ୧ ତାରିଖ, ୨୦୦୩ରେ ଟେକ୍ସାଜ୍ ବିଶ୍ବବିଦ୍ୟାଳୟର ଉପରିଭାଗରେ ପୃଥିବୀର ବାୟୁମଣ୍ଡଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ କଲମ୍ବିଆ ଯାନ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ତାଙ୍କ ସହ ମହାକାଶ ଯାତ୍ରା କରିଥିବା ସମସ୍ତ 7 ମହାକାଶଚାରୀଙ୍କ ମୃତ୍ୟୁ ଘଟିଥିଲା ।