ବେଙ୍ଗାଲୁରୁ: ମଧ୍ୟପ୍ରଦେଶ ମହାଡ୍ରାମାରେ କଳାକାର ସାଜିଥିବା ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ଆଜି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନିଜ ନେତା ବୋଲି କହିଛନ୍ତି । ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ସରକାରରେ ଅଣଦେଖାର ଶିକାର ହୋଇଥିବା କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କମଲନାଥ ଆମମାନଙ୍କ କଥା ଶୁଣିବା ଲାଗି 15 ମିନିଟ୍ ସମୟ ବି ଦିଅନ୍ତିନି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ସେହିପରି ଭଗବାନଙ୍କ କୃପାରୁ ଆମପାଖରେ ଯଥେଷ୍ଟ ଟଙ୍କା ରହିଛି । ତେଣୁ ଟଙ୍କା ପାଇଁ ଆମେ କଂଗ୍ରେସରୁ ଇସ୍ତଫା ଦେଇଥିବା ଅଭିଯୋଗ ମିଥ୍ୟା ଓ କପୋଳକଳ୍ପିତ । ସରକାର ନିଜକୁ ରକ୍ଷା କରିବାକୁ ଏପରି ମିଥ୍ୟା କଥା ଆମ ବିରୋଧରେ କହୁଥିବାର ସେମାନେ କହିଛନ୍ତି । ତେବେ ଆମକୁ ସୁରକ୍ଷା ପ୍ରଦାନ କଲେ ଆମେ ଆମ ବିଧାନସଭା କ୍ଷେତ୍ରକୁ ଯିବାକୁ ଆଗ୍ରହୀ ବୋଲି ମଧ୍ୟ ସେମାନେ କହିଥିବା ଦେଖିବାକୁ ମିଳିଛି ।
ସୂଚନା ଥାଉକି, କମଲନାଥ ସରକାରକୁ ବିରୋଧ କରି 22 ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ସେମାନେ ଏବେ ବେଙ୍ଗାଲୁରୁରେ ରହିଛନ୍ତି । ସେପଟେ ବାଚସ୍ପତି ମାତ୍ର 6 ଜଣଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଅନ୍ୟପଟେ 22 ଜଣ ବିଧାୟକ ଇସ୍ତଫା ଦେଇଥିବାରୁ କମଲନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇଥିବା ଦର୍ଶାଇ ବିଜେପି ଫ୍ଲୋରଟେଷ୍ଟ ଦାବି କରିଛି ।
ବ୍ୟୁରୋ ଇନପୁଟ ସହ ANI