ଗୌହାଟି: ଆସାମରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ନୂଆ ମୋଡ଼ । ମୃତ ଡାକ୍ତରଙ୍କ ପରିବାର ଲୋକେ ଘଟଣାକୁ ପୂର୍ବ ପ୍ରସ୍ତୁତି ଯୋଜନା କହି ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା କଥା ହେଲା ମୃତ ଡାକ୍ତର ଦେବେନ ଦତ୍ତଙ୍କ ହତ୍ୟାକାଣ୍ଡରେ ତୃତୀୟ ପକ୍ଷ ସାମିଲ ଅଛନ୍ତି। ସେପଟେ ଏହି ଘଟଣାରେ ଆସାମ ଡାକ୍ତର ପକ୍ଷରୁ ସେପ୍ଟେମ୍ବର 3 ରେ ରାଜ୍ୟରେ 24 ଘଣ୍ଟିଆ ହଡ଼ତାଳ କରିବେ ବୋଲି ଘୋଷଣା କରାଯାଇଛି ।
ସୂଚନା ଥାଉକି ଆସାମର ଜୋରହାଟ ଜିଲ୍ଲାସ୍ଥିତ ଟିଓକ ଟି ଇଷ୍ଟେଟ ନାମକ ଚାହା ବଗିଚାର ଜଣେ ଶ୍ରମିକଙ୍କୁ ଡ. ଦେବେନ ଦତ୍ତ (73) ଚିକିତ୍ସା କରୁଥିଲେ । ଶ୍ରମିକଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା । ଏହାକୁ ପ୍ରତିବାଦ କରି ଚାହା ବଗିଚାର ଅନ୍ୟାନ୍ୟ ଶ୍ରମିକ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦେବେନ ଦତ୍ତ ଗୁରୁତର ଆହତ ହୋଇଥିଲେ । ଶେଷରେ ଅଗଷ୍ଟ 31 ରେ ତାଙ୍କର ଜୋରହାଟ ମେଡିକାଲ କଲେଜରେ ମୃତ୍ୟୁ ଘଟିଥିଲା ।
ସେପେଟେ ଏହି ଘଟଣାରେ ରବିବାର 21 ଜଣ ଏବଂ ସୋମବାର ଆହୁରି 5ଜଣଙ୍କୁ ପୋଲିସ ଗରିଫ କରିଛି । ଜୋରହାଟର ଡେପୁଟି କମିଶନରଙ୍କୁ ଏହି ଘଟଣାର ତଦନ୍ତ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜଣେ ବୟସ୍କ ଡାକ୍ତରଙ୍କୁ ଏପରି ହତ୍ୟା କରିବା ସାମାନ୍ୟ କଥା ନୁହେଁ । ତେଣୁ ଆସାମର ସ୍ବାସ୍ଥ୍ୟ ମନ୍ତ୍ରୀ ହିମନ୍ତା ବିଶ୍ବା ଶର୍ମା ଏହି ଘଟଣାକୁ ନିନ୍ଦା କରି ଦୁଃଖ ପ୍ରକାଶ କରିଛନ୍ତି ।