ନୂଆଦିଲ୍ଲୀ: କୋଭିଡ୍-19 ମହାମାରୀ ସହିତ ବିଶ୍ଵ ଲଢୁଛି । ଏଥି ନିମନ୍ତେ ଦେଶରେ ଘୋଷଣା ହୋଇଥିବା ଲକ୍ ଡାଉନ୍ ନିୟମକୁ ସମସ୍ତେ ମାନୁଛନ୍ତି । ଦେଖିବାକୁ ଗଲେ ଦେଶର ଗ୍ରାମାଞ୍ଚଳରେ ରହୁଥିବା ଜଣେ ଅଶିକ୍ଷିତ ବେକାର୍ ଯୁବକ ଠାରୁ ସହରାଞ୍ଚଳର ଵସ୍ତି ଭିତରେ ରହୁଥିବା ରିକ୍ସା ଚାଳକ ବି ଏହି ଲକ୍ ଡାଉନ୍ ନିୟମକୁ ମାନି ଘରେ ରହୁଛନ୍ତି । ତେବେ ଦେଶର ଏଭଳି ପରିସ୍ଥିତିରେ ଗରୀବବର୍ଗର ଜନସାଧାରଣଙ୍କ ମଧ୍ୟରେ ସଚେତନତା ପରିଲକ୍ଷିତ ହେଉଛି । ହେଲେ ପରିତାପର ବିଷୟ ଦେଶର ପ୍ରମୁଖ ତଥା ସମ୍ଭ୍ରାନ୍ତ ବିଶ୍ଵଵିଦାଳୟ ଜେଏନୟୁର ଵାସ୍ତବ ଚିତ୍ର କିଛି ଅଲଗା ।
ଏଠାରେ ସଚେତନ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ଲକ୍ ଡାଉନ୍ ନିୟମକୁ ଆଦୌ ମାନୁ ନାହାଁନ୍ତି । ସେମାନଙ୍କୁ ବାରଣ କରିବାରୁ କ୍ୟାମ୍ପସରେ ନିୟୋଜିତ ସୁରକ୍ଷାକର୍ମିଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ୍ କରିବା ସହିତ ଧମକଚମକ୍ ଦେଉଥିବା ନଜରକୁ ଆସୁଛି । ଏଭଳି ପରିସ୍ଥିତିରେ ବିଶ୍ଵଵିଦ୍ୟାଳୟ କର୍ତ୍ତୃପକ୍ଷ ଲକ୍ ଡାଉନ୍ ନିୟମ ଭାଂଗି କ୍ୟାମ୍ପସରେ ବିଶୃଙ୍ଖଳା କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦାୟର୍ କରିଛନ୍ତି ।
ସୂଚନା ମୁତାବକ କୋରୋନା ସହାମାରୀକୁ ମୁକାବିଲା କରିବାକୁ କେନ୍ଦ୍ର ସରକାର ଏକ ଗାଇଡ୍ ଲାଇନ୍ ଜାରି କରିଥିଲେ। କେମିତି ଲକ୍ ଡାଉନ୍ ସମୟରେ ହଷ୍ଟେଲ ଭିତରେ ନିଜକୁ ରଖିବ, ଆବଶ୍ୟକ ନଥିଲେ କ୍ୟାମ୍ପସରେ ବୁଲିବ ନାହିଁ, କୌଣସି ସ୍ଥାନରେ ଛାତ୍ରଛାତ୍ରୀମାନେ ଏକତ୍ରିତ ହେବ ନାହିଁ- ଏ ସଂପର୍କରେ ସୂଚନା ଫଳକ କ୍ୟାମ୍ପସରେ କର୍ତ୍ତୃପକ୍ଷ ଲଗେଇବା ସହିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ହେଲେ ଏସବୁକୁ କ୍ୟାମ୍ପସରେ ଅଣଦେଖା କରାଯାଉ ଥିଲା । ତେଵେ ସୁରକ୍ଷାକର୍ମୀଙ୍କ ଅଭିଯୋଗ ଆଧାରରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଵିଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦାୟର କରିଥିବା ଜଣାପଡିଛି ।