ନୂଆଦିଲ୍ଲୀ: ଜେଏନୟୁ ହିଂସାକାଣ୍ଡ ସମୟରେ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବାକୁ ପହଞ୍ଚିଥିଲେ ବଲିଉଡ ସେଲିବ୍ରିଟି
ଦୀପିକା ପାଦୁକୋନ। ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କ ସହ ଦୀପିକା ସାକ୍ଷାତ କରିବା ସହ ଅଭିଯୁକ୍ତଙ୍କ ଗିରଫ
ଦାବି କରିଥିଲେ। ହେଲେ ବଲିଉଡ୍ ଡିଭାଙ୍କ ଏପରି ଏଣ୍ଟ୍ରି ପାଇଁ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଦୀପିକାଙ୍କ ଯୋଗଦାନ ପରେ ଟ୍ବିଟରରେ ଟ୍ରେଣ୍ଡ କରୁଥିଲା ‘ବୟକଟ ଛପାକ।’
ବର୍ତ୍ତମାନ ଏ ଘଟଣାକୁ ନେଇ ଯୋଗ ଗୁରୁ ବାବା ରାମଦେବ ଏକ ମନ୍ତବ୍ୟ ଦେଇଛନ୍ତି। ତାଙ୍କ କହିବା ଅନୁସାରେ ଦୀପିକା ପାଦୁକୋନ ଜଣେ ଭଲ ଅଭିନେତ୍ରୀ ହୋଇଥାଇ ପାରନ୍ତି। ହେଲେ ଦେଶର ସାମାଜିକ ଓ ରାଜନୈତିକ ଘଟଣାବଳୀରେ କୌଣସି ନିଷ୍ପତ୍ତି ନେବା ଆଗରୁ ଭାବିବା ଦରକାର।
ରାମଦେବଙ୍କ କହିବା ଅନୁସାରେ, ଅଭିନେତ୍ରୀ ଦୀପିକା ମୋ ଭଳି ଜଣେ ପରାମର୍ଶଦାତା ତାଙ୍କ ପାଖରେ ନିୟୋଜିତ କରି ରଖିବା ଦରକାର। ଯିଏ ତାଙ୍କୁ ଉଚିତ୍ ସମୟରେ ଉପଯୁକ୍ତ ପରାମର୍ଶ ଦେଇପାରିବ।
ସେ ଏହା ମଧ୍ୟ କହିଛନ୍ତି ଯେ, ଦୀପିକାଙ୍କୁ ଦେଶର ସାମାଜିକ,ରାଜନୈତିକ ଓ ପାରମ୍ପରିକ ଘଟଣାବଳୀ ଉପରେ ଜ୍ଞାନ ରଖିବାକୁ ପଡିବ। ତେଣୁ ମୁଁ ଭାବୁଛି ସ୍ବାମୀ ରାମଦେବ ଜଣେ ଉପଯୁକ୍ତ ବ୍ୟକ୍ତି ଯିଏ ତାଙ୍କୁ ସଠିକ୍ ପରାମର୍ଶ ଦେଇପାରିବେ।
ବିଶ୍ବବିଦ୍ୟାଳୟରେ ସ୍ବାଧୀନତା ରହିବା ଦରକାର। ନଚେତ୍ ବର୍ତ୍ତମାନ ପରିସ୍ଥିତିରେ ସମୟ ଓ ଶିକ୍ଷାର ଅପଚୟ
ହେଉଛି। ଏହାସହ ବିଶ୍ବବିଦ୍ୟାଳୟର ନାମ ସହ ଦେଶର ନାମ ମଧ୍ୟ ବଦନାମ ହେଉଛି। ତେଣୁ ସରକାର ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ବାବା ରାମଦେବ କହିଛନ୍ତି।