ବେଙ୍ଗାଲୁରୁ: କୋରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସାମ୍ବାଦିକ ମାନଙ୍କ କୋରୋନା ପରୀକ୍ଷାର ଆୟୋଜନ କରାଯାଉଛି । ଏଥିରେ କର୍ଣ୍ଣାଟକ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ସାମିଲ ହୋଇଛନ୍ତି । ଉକ୍ତ ରାଜ୍ୟର ସରକାରଙ୍କ ଅନୁଯାୟୀ, ସାମ୍ବାଦିକ ମଧ୍ୟ କୋରୋନା ଲଢେଇରେ ଆଗ ଧାଡିର ଯୋଦ୍ଧା । ଯିଏ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ପ୍ରତି ମୂହୂର୍ତ୍ତର ଖବର ଦେଉଛନ୍ତି ।
ହେଲେ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯିଏ କି ନିଜକୁ ପ୍ରଥମେ ପ୍ରାଧାନ୍ୟ ଦେଇଥାନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକ ମାଣ୍ଡ୍ୟା ସହରରେ । ଏଠାର ସ୍ଥାନୀୟ ଲୋକେ ସାମ୍ବାଦିକଙ୍କ କୋରୋନା ପରୀକ୍ଷାକୁ ବିରୋଧ କରିଛନ୍ତି ।
ମାଣ୍ଡ୍ୟାର ଡେପ୍ୟୁଟି କମିଶନର ଏମଭି ଭେଙ୍କଟେଶ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ମାଣ୍ଡ୍ୟା ସ୍ଥିତ ଆମ୍ବେଦକର ଭବନରେ ସାମ୍ବାଦିକଙ୍କ କୋରୋନା ପରୀକ୍ଷା କରାଯାଉଥିଲା । ହେଲେ ଜନତା ଦଳ ସେକୁଲାର(ଜେଡିଏସ) ର ଏମଏଲସି ଏବଂ ତାଙ୍କ ପୁଅ ସମେତ କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ।
ଏପରିକି ଏମଏଲସି ଶ୍ରୀକାନ୍ତେ ଗୌଡା ଡାକ୍ତରଙ୍କୁ ସାମ୍ବାଦିକଙ୍କ କୋରୋନା ପରୀକ୍ଷା ନ କରିବାକୁ ଧମକ ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲାଠି ଚାର୍ଜ କରିଥିଲା । ଏହାପରେ ସାମ୍ବାଦିକଙ୍କୁ ସୁରକ୍ଷିତ ଭାବେ ସେଠାରୁ ଅଣାଯାଇଥିଲା ।
ବର୍ତ୍ତମାନ ପୋଲିସ ଏମଏଲସି ଶ୍ରୀକାନ୍ତେ ଗୌଡା, ତାଙ୍କ ପୁଅ ଏବଂ ଅନ୍ୟ ତିନି ଜଣ ବିରୋଧରେ ମାମଲାରୁ ରୁଜୁ କରି ଶ୍ରୀକାନ୍ତଙ୍କ ପୁଅକୁ ହେପାଜତକୁ ନେଇଛି । ଏଥିସହ ତଦନ୍ତ ପାଇଁ ମାମଲାର ଯାଞ୍ଚ ଆରମ୍ଭ କରିଛି ।
ପ୍ରକାଶ ଥାଉକି , ଶୁକ୍ରବାର ମାଣ୍ଡ୍ୟାରେ 15 ଜଣ ସାମ୍ବାଦିକଙ୍କ କୋରୋନା ପରୀକ୍ଷା କରାଯାଇଥିବା ବେଳେ ଶନିବାର 27 ଜଣ ପରୀକ୍ଷା ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ