ଶ୍ରୀନଗର: ଜାମ୍ମୁକାଶ୍ମୀରର ଡିଡିସି ନିର୍ବାଚନ ଫଳାଫଳ ଆସିବା ପରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଅନୁରାଗ କହିଛନ୍ତି କି କଂଗ୍ରେସ ଓ ପିଡିପି ତୁଳନାରେ ସ୍ବତନ୍ତ୍ର ପ୍ରାର୍ଥୀଙ୍କୁ ଭୋଟ ମିଳିଛି । ଯାହା ଏକ ଭଲ ସଂକେତ । କାଶ୍ମୀରରେ ତ୍ରିରଙ୍ଗା ଉ଼ଡାଇବା ପାଇଁ ମନା କରୁଥିବା ମେହେବୁବା ମୁଫତିଙ୍କୁ ଉତ୍ତର ମିଳିସାରିଥିବା କଥା କହିଛନ୍ତି ଅନୁରାଗ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସବୁ ଦଳ ମିଶି ମଧ୍ୟ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ରୋକିବାରେ ସଫଳ ହୋଇ ପାରିଲେ ନାହିଁ । ସେମାନଙ୍କ ରଣନୀତିକୁ ଭୁଲ ପ୍ରମାଣିତ କରି ବିଜେପି ଲୋକଙ୍କ ଆସ୍ଥା ପାଇବାରେ ସଫଳ ହୋଇଛି । ସେହିପରି ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ମଧ୍ୟ ମୋଦିଜୀଙ୍କ ନେତୃତ୍ବରେ ଭଲ ପ୍ରଦର୍ଶନ କରିଛି ବିଜେପି ।
କାଶ୍ମୀରରେ ଭୋଟ ସେୟାରକୁ ବିଚାରକୁ ନେଲେ ବିଜେପି ସବୁଠୁ ଆଗରେ ରହିଛି । ଏହି ଭୋଟ ସେୟାର ଆକଳନରେ ଗୁପକାର ଗ୍ୟାଙ୍ଗ ସହ କଂଗ୍ରେସ ସହ ଅନ୍ୟ ଦଳ ମଧ୍ୟ ବିଜେପି ଠାରୁ ପଛରେ ରହିଛନ୍ତି ।
ଜାମ୍ମୁକାଶ୍ମୀରର ବାସିନ୍ଦାମାନେ ଏବେ ଆତଙ୍କବାଦ ଓ ବିଛିନ୍ନତାବାଦକୁ ଭୁଲି ରାଷ୍ଟ୍ରବାଦକୁ ନିଜର ସମର୍ଥନ ଜଣାଇଥିବା କହିଛନ୍ତି ଅନୁରାଗ । କାଶ୍ମୀରବାସୀ ଏବେ ମୋଦିଜୀଙ୍କ ନେତୃତ୍ବରେ ବିଶ୍ବାସ କରିବା ଆରମ୍ଭ କରିଛନ୍ତି । ତାର ପ୍ରତିଫଳନ ସ୍ବରୁପ ବିଜେପିକୁ 75 ସିଟ ମିଳିପାରିଛି ବୋଲି କହିଛନ୍ତି ସେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ