ନୂଆଦିଲ୍ଲୀ: ନିଜାମୁଦ୍ଦିନ ମାର୍କାଜ ପ୍ରସଙ୍ଗରେ ଦେଶର ଗଣମାଧ୍ୟମ ଗୁଡିକ ସାଂପ୍ରଦାୟିକତା ପ୍ରଚାର କରୁଥିବା ଦାବି କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି ଜାମିଆତ ଉଲେମା-ଇ-ହିନ୍ଦ । ଏହା ସହ ସାମ୍ପ୍ରଦାୟିକତା ରୋକିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଏକ ଜନସ୍ବାର୍ଥ ମାମଲା ସର୍ବୋଚ୍ଚ କୋର୍ଟରେ ଦାଖଲ କରିଛି । ଏଥିପାଇଁ ଏକ ଆପେକ୍ସ କୋର୍ଟ ଜରିଆରେ ତୁରନ୍ତ ବିଚାର କରାଯିବାକୁ ଜାମିଆତ ଉଲେମା-ଇ-ହିନ୍ଦ ଅନୁରୋଧ କରିଛି ।
ଜନସ୍ବାର୍ଥ ମାମଲାରେ ସଂସ୍ଥା ଦାବି କରିଛି ଯେ, ‘ସାମ୍ପ୍ରଦାୟିକ ଦିଗ ସମସ୍ତ ମୁସଲମାନ ବ୍ୟକ୍ତିଙ୍କ ପାଇଁ ପୀଡାର କାରଣ ହୋଇଛି । ଏହା ଦ୍ବାରା କୋରୋନା ମହାମାରୀ ସମୟରେ ମଧ୍ୟ ମୁସଲମାନମାନଙ୍କର ଜୀବିକା ତଥା ସମ୍ମାନ ଉପରେ ପ୍ରଭାବ ପକାଉଛି ।’
ଅନ୍ୟପକ୍ଷରେ ସଂଗଠନ ଗୁଜରାଟର ଏକ ଲିଫଲେଟର ଉଦାହରଣ ଦେଇଛି । ଲିଫଲେଟରେ ସମସ୍ତ ହିନ୍ଦୁମାନଙ୍କୁ ମୁସଲିମ ହକର ଏବଂ ଦୋକାନୀମାନଙ୍କୁ ବୟକଟ କରିବାକୁ ଆହ୍ବାନ କରାଯାଇଥିବା ଜନସ୍ବାର୍ଥ ମାମଲାରେ କୁହାଯାଇଛି । ଏପରିକି ଲିଫଲେଟରେ ମୁସଲିମମାନେ କୋରୋନା ଭାଇରସକୁ ଦେଶରେ ପ୍ରସାର କରିବାର ମିଶନ ରଖିଥିବା କୁହାଯାଇଛି ।
ଜନସ୍ବାର୍ଥ ମାମଲା ଦାଖଲ କରିଥିବା ସଂଗଠନ କହିଛି, ଯଦି ଇଲୋକ୍ଟ୍ରୋନିକ୍ସ ଓ ପ୍ରିଣ୍ଟ ମିଡିଆ । ନିଜାମୁଦ୍ଦିନ ମାର୍କାଜ ଘଟଣାକୁ ସାମ୍ପ୍ରଦାୟିକ ରୂପ ଦେଇ ପ୍ରଚାର କରିନଥାନ୍ତା, ତେବେ ବର୍ତ୍ତମାନର ପରିସ୍ଥିତି କିଛି ଭିନ୍ନ ରହିଥାନ୍ତା । ପୂର୍ବରୁ ସାମ୍ପ୍ରଦାୟିକ ତିକ୍ତତା ରହିଥିବା ବେଳେ ଏହା ସମାଜରେ ଏକ ବିଭେଦ ସୃଷ୍ଟି କରୁଛି ।
ସଂଗଠନ ଏହି ମାମଲାରେ ନିଜର ନିବେଦନ ରଖିବା ସହ ସହିତ ବିଭିନ୍ନ ଚ୍ୟାନେଲ, ଖବରକାଗଜରେ ସ୍ଥାନୀତ ବିବାଦୀୟ ତଥା ସାମ୍ପ୍ରଦାୟିକ ବିବୃତ୍ତି, ହେଡଲାଇନ ଓ ବିଭିନ୍ନ ଗଣମାଧ୍ୟମର ଫଟୋ ସଂଲଗ୍ନ କରିଛି |
ଦିଲ୍ଲୀର ନିଜାମୁଦ୍ଦିନ ମାର୍କାଜଙ୍କ ଟାବଲିଗୀ ଜମାତ କାର୍ଯ୍ୟକ୍ରମରୁ ଫେରିବାପରେ ଦେଶର ବିଭିନ୍ନ ଅଞ୍ଚଳର ବ୍ୟକ୍ତିମାନେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସି ଅନେକ ମଧ୍ୟ ଏଥିରେ ପୀଡିତ ହୋଇଛନ୍ତି । ଏହି ଘଟଣାରେ କୋରୋନାକୁ ନେଇ ଦେଶରେ ସାମ୍ପ୍ରଦାୟିକ ରଙ୍ଗ ନେଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନେକ ଲୋକଙ୍କ ପଜିଟିଭ ରିପୋର୍ଟ ପରେ ଦେଶର ବିଭିନ୍ନ ସ୍ଥାନରେ ଟାବଲିଗୀ ଭାଇରସ ଏବଂ କୋରୋନା ଜିହାଦ ଟ୍ବିଟରରେ ଟ୍ରେଣ୍ଡିଂ ପ୍ରସଙ୍ଗ ମଧ୍ୟରେ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ