ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ଗତ ଡିସେମ୍ବର 15ରେ ହୋଇଥିବା ବର୍ବରକାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ସୁରକ୍ଷାକର୍ମୀଙ୍କ ବର୍ବରତା ଦେଖିବାକୁ ମିଳିଛି । ପାଠାଗାରରେ ବସି ପାଠପଢୁଥିବା ଛାତ୍ରଙ୍କ ଉପରେ ସୁରକ୍ଷାକର୍ମୀ କିପରି ଆଖିବୁଜା ଲାଠିଚାର୍ଜ କରୁଛନ୍ତି ତାହା ଏହି ଭିଡିଓରେ ନଜର ଆସିଛି । ଭିଡିଓଟି ପ୍ରଥମେ ଜାମିଆ କୋଡିନେଶନ କମିଟି ପକ୍ଷରୁ ଜାରି କରାଯାଇଥିଲା । ଏହାପରେ ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଜାରି ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, କିଛି ଛାତ୍ର ବିଶ୍ବବିଦ୍ୟାଳୟ ପାଠାଗାରରେ ବସି ପାଠପଢୁଛନ୍ତି । ଏହି ସମୟରେ ସୁରକ୍ଷାକର୍ମୀ ଲାଠି ସହ ପାଠଗାରରେ ପ୍ରବେଶ କରୁଛନ୍ତି ଏବଂ ଛାତ୍ରଙ୍କୁ ମାଡ ମାରିବା ଆରମ୍ଭ କରୁଛନ୍ତି । ତେବେ ଏହି ଭିଡିଓଟି ନାଗରିକତା ସଂଶୋଧନ ଆଇନ୍ ବିରୋଧୀ ପ୍ରଦର୍ଶନ ସମୟରେ ପୋଲିସ ଜାମିଆ ଭିତରେ ପ୍ରବେଶ କରି ପାଠାଗାରରେ ପଢୁଥିବା ଛାତ୍ରଙ୍କ ଉପରେ ଲାଠିଚାର୍ଜ କରୁଥିବା ସମୟର ବୋଲି ଦାବି କରିଛି କମିଟି ।
ସେପଟେ ଏହି ଭିଡିଓରେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ମଧ୍ୟ ଥିବା ଦାବି କରିଛି ପୋଲିସ । ଏହି ଭିଡିଓ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ସେମାନେ ଏହି ଭିଡିଓସ ସତ୍ୟାସତ୍ୟ ତଦନ୍ତ କରିବେ ବୋଲି ପୋଲିସ କହିଛି । ଅନ୍ୟପକ୍ଷରେ ଜାମିଆ ପ୍ରଶାସନ ପକ୍ଷରୁ ଏହି ଭିଡିଓକୁ ନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ଏହାର ସତ୍ୟାସତ୍ୟକୁ ନେଇ କୌଣସି ପ୍ରକାର ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇନାହିଁ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର 15 ତାରିଖରେ ସିଏଏ ଏବଂ ଏନଆରସି ବିରୋଧରେ ଜାମିଆ ବିଶ୍ବବିଦ୍ୟାଳୟରେ ପ୍ରଦର୍ଶନ କରୁଥିଲେ ଛାତ୍ରଛାତ୍ରୀ । ଏହି ସମୟରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ପୋଲିସ ବିଶ୍ବବିଦ୍ୟାଳୟରେ ପ୍ରବେଶକରି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ କରିଥିବା ଜାମିଆ ପ୍ରଶାସନ ପକ୍ଷରୁ ପୂର୍ବରୁ କୁହାଯାଇଥିଲା । ଏଥିସହ ପୋଲିସ ବିଶ୍ବବିଦ୍ୟାଳୟ ପାଠାଗାରରେ ପଢୁଥିବା ଛାତ୍ରଙ୍କ ଉପରେ ମଧ୍ୟ ଲାଠିଚାର୍ଜ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଘଟଣାପରଠାରୁ ଜାମିଆ ପ୍ରଶାସନ ଏହାର କାର୍ଯ୍ୟାନୁଷ୍ଠାନ ଦାବି କରୁଛି ।