ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ (ଜୈଇଏମ) ଅଣ୍ଡର ୱାଟର ଆକ୍ରମଣର ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି । ଏଥିପାଇଁ ଆତଙ୍କବାଦୀ ସଙ୍ଗଠନର ଅଣ୍ଡର ୱାଟର ୱିଙ୍ଗକୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଥିବା ଜଣାପଡିଛି । ଏନେଇ ସୋମବାର ନୌସେନା ମୁଖ୍ୟ ଆଡମାଇରାଲ କରମବୀର ସିଂହ ସତର୍କ ସୂଚନା ଜାରି କରିଛନ୍ତି । ତେବେ ଯେକୌଣସି ପ୍ରକାର ଆକ୍ରମଣର ସାମ୍ନା କରିବାକୁ ଆମେ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ଅଛୁ ବୋଲି ଆଶ୍ବାସନା ଦେଇଛନ୍ତି କରମବୀର ସିଂହ ।
ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ନିଜ ସାଥୀଙ୍କୁ ସମୁଦ୍ର ତଳେ ଆସି ଆକ୍ରମଣ କରିବାକୁ ପ୍ରଶିକ୍ଷଣ ଦେଉଥିବା ଗୁଇନ୍ଦା ସୂଚନା ମିଳିଛି । ସେମାନେ ପାଣି ଭିତରେ ଆସି ଆକ୍ରମଣ ପାଇଁ ଯୋଜନା କରୁଛନ୍ତି । ତେବେ ଦେଶବାସୀଙ୍କୁ ଆଶ୍ବାସନା ଦେଇ ନୌସେନା ମୁଖ୍ୟ କହିଛନ୍ତି, ସେମାନଙ୍କ ସହ ମୁକାବିଲା କରିବା ପାଇଁ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛୁ । ସେମାନଙ୍କର କୌଣସି ପ୍ରକାର ଷଡଯନ୍ତ୍ରକୁ ଆମେ ସଫଳ ହେବାକୁ ଦେବୁ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, 2008 ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆମେ ସାମୁଦ୍ରିକ ସୁରକ୍ଷା ସହ ତଟୀୟ ସୁରକ୍ଷାକୁ ମଧ୍ୟ ଅଧିକ ଗୁରୁତ୍ବ ଦେଇଛୁ । ସମୁଦ୍ର ରାସ୍ତା ଦେଇ କୌଣସି ପ୍ରକାର ଅନୁପ୍ରବେଶ ହୋଇପାରିବ ନାହିଁ ସେନେଇ ନୌସେନା ସୁନିଶ୍ଚିତ ଅଛି।