ନୂଆଦିଲ୍ଲୀ: ଖୁବଶୀଘ୍ର ଘୋଷଣା ହେବ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ତାରିଖ । ଏନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏହି ନିର୍ବାଚନ ଚଳିତ ବର୍ଷ ଶେଷ ସୁଦ୍ଧା ହେବାର ସମ୍ଭାବନା ରହିଛି। ତେବେ ଅମରନାଥ ଯାତ୍ରା ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା କରାଯିବ ।
ନିର୍ବାଚନ କମିଶନଙ୍କ କହିବା ଅନୁସାରେ, ଜମ୍ମୁ କାଶ୍ମୀରର ପାରିପାର୍ଶ୍ବିକ ସ୍ଥିତି ଉପରେ କମିଶନର ସର୍ବଦା ନଜର ରହିଛି । ତେଣୁ ଅମରନାଥ ଯାତ୍ରା ଶେଷ ହେବା ପରେ ସମସ୍ତ ରାଜନୈତିକ ଦଳ ବିଷୟରେ ସୂଚନା ନିଆଯାଇ ନିର୍ବାଚନର କାର୍ଯ୍ୟସୂଚୀ ବିଷୟରେ ଘୋଷଣା କରାଯିବ ।
ଏନେଇ ମଙ୍ଗଳବାର ନିର୍ବାଚନ କମିଶନ ଏକ ସଂକ୍ଷିପ୍ତ ବିବରଣୀ ଜାରି କରିଛନ୍ତି । କାଶ୍ମୀରରେ ପ୍ରତିବର୍ଷ ଅମରନାଥ ଯାତ୍ରା ଜୁଲାଇ ରୁ ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଯାତ୍ରା 1 ଜୁଲାଇରୁ ଅଗଷ୍ଟ 15 ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି । ସମ୍ବିଧାନର ଅନୁଚ୍ଛେଦ ଧାରା 324 ଅନୁସାରେ ଚଳିତ ବର୍ଷ ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ବର୍ଷ ଶେଷ ସୁଦ୍ଧା କରାଯିବ ।