ୱାଶିଂଟନ୍: ଇସଲାମିକ ଷ୍ଟେଟର ମୁଖ୍ୟ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ-ବାଗଦାଦି ଆମେରିକା ସେନାର ଏକ ଅପରେସନରେ ନିହତ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ବାଗଦାଦି ସହ ତାର 3 ସନ୍ତାନ ଏବଂ କେତେକ ସହଯୋଗୀ ମଧ୍ୟ ନିହତ ହୋଇଥିବା ଟ୍ରମ୍ପ କହିଛନ୍ତି ।
ରବିବାର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଗଦାଦିର ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି, ସିରିୟାର ଇଦଲିବରେ ଆମେରିକା ସେନା ଚଳାଇଥିବା ମିଳିତ ଅପରେସନରେ ବାଗଦାଦି ନିହତ ହୋଇଛି । ଆମେରିକା ସେନାର ଅପରେସନ ସମୟରେ ବାଗଦାଦି ଏକ ସୁଡ଼ଙ୍ଗ ସାହାଯ୍ୟରେ ନିଜ ପିଲାଙ୍କ ସହ ଲୁଚି ପଳାଇବାର ପ୍ରୟାସ କରିଥିଲା। ଆମେରିକା ସେନା ତାକୁ ଚାରିଆଡୁ ଘେରିଦେଇଥିଲେ। ତେବେ ନିଜକୁ ଜାଲରେ ଫସିଯାଇଥିବା ଦେଖି ଆତ୍ମଘାତୀ ଜ୍ୟାକେଟ ସାହାର୍ଯ୍ୟରେ ବିସ୍ଫୋରଣ କରି ନିଜକୁ ଉଡ଼ାଇ ଦେଇଥିବା ଆମେରିକା ରାଷ୍ଟ୍ରପତି କହିଛନ୍ତି।
ସେ ଆହୁରି କହିଛନ୍ତି, ବାଗଦାଦି କାପୁରୁଷ ଥିଲା । ସେ ଦୁନିଆର ସବୁଠୁ ଦୁର୍ଦ୍ଦାନ୍ତ ଓ ହିଂସକ ଆତଙ୍କୀ ସଙ୍ଗଠନର ସଂସ୍ଥାପକ ଓ ମୁଖ୍ୟ ଥିଲା। ସେ ହିଂସକ ଥିଲା ଏବଂ ହିଂସାରେ ହିଁ ନିହତ ହେଲା ବୋଲି ଟ୍ରମ୍ପ କହିଛନ୍ତି । ତେବେ ଆଇଏସ ବିରୋଧୀ ଲଢେଇରେ ସହଯୋଗ କରିଥିବାରୁ ଟ୍ରମ୍ପ ଋଷ, ସିରିଆ ଓ ତୁର୍କୀକୁ ଧନ୍ୟବାଦ ଦେଇଛନ୍ତି। ଏହା ସହିତ ସେ ନିଜ ଆମେରିକୀୟ ଗୁଇନ୍ଦା ସଂସ୍ଥା ଏବଂ ସେନାକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।