ନୂଆଦିଲ୍ଲୀ: ଭାରତରେ ନିଜର ଅସ୍ଥିତ୍ବ ସ୍ଥାପନ କରୁଛି ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ୍) । ଭାରତରେ ପ୍ରଥମ ଥର ପାଇଁ ଆଇଏସ୍ଆଇଏସ୍ ତାର ପ୍ରାନ୍ତ ବା ରାଜ୍ୟ ସ୍ଥାପନ କରିବାରେ ସଫଳ ହୋଇଥିବା ଦାବି କରିଛି । କାଶ୍ମୀରରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ପରେ ସଂଗଠନ ଏହି ଦାବି କରିଛି । ତେବେ ଏହି ଏନକାଉଣ୍ଟରରେ ସଂଗଠନର ଏକ ସଦସ୍ୟ ନିହତ ହୋଇଥିବା କୁହାଯାଇଛି ।
ତେବେ ସେମାନେ ଏହି ପ୍ରାନ୍ତର ନାମ ମଧ୍ୟ ରଖିଛନ୍ତି । ଏହାକୁ 'ୱିଲାୟା ଅଫ୍ ହିନ୍ଦ' ବୋଲି କୁହାଯାଉଥିବା ଆଇଏସ ଏମାକ ନାମକ ଏକ ଖବର ସରବରାହ ସଂସ୍ଥା ଦାବି କରିଛି । ଏହି ସଂଗଠନ ଇରାକ ଏବଂ ସିରିଆର ମାଇଲ ମାଇଲ ଅଞ୍ଚଳରେ ନିଜର ଶାସନ ଚଳାଇଥିଲା । କିନ୍ତୁ ଏପ୍ରିଲରେ ଇରାକ ଏବଂ ସିରିଆରେ ଆଇଏସ୍ର ରାଜୁତି ସରିଯାଇଥିଲା । ଏହାପରେ ଅନେକ ଆତ୍ମଘାତି ଆକ୍ରମଣ ଘଟାଇଥିଲା ସଂଗଠନ । ଏହା ବ୍ୟତୀତ ନିକଟରେ ଶ୍ରୀଲଙ୍କାରେ ଆତ୍ମଘାତୀ ଆକ୍ରମଣ ଘଟାଇଥିଲା, ଯେଉଁଥିରେ 253 ଲୋକଙ୍କ ମୃତ୍ୟୁ ହୋଇଥିଲା ।