ହାଇଦ୍ରାବାଦ: କୋରୋନା ମହାମାରୀରେ ମହିଳାମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗ୍ରାମୀଣ ମହିଳାମାନେ ଦୈନନ୍ଦିନ ଅନେକ ସଂଘର୍ଷର ସାମ୍ନା କରିଥାନ୍ତି, ବର୍ତ୍ତମାନ କୋଭିଡ-19 ସେମାନଙ୍କ ପାଇଁ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଛି । ଗୁଣାତ୍ମକ ସ୍ବାସ୍ଥ୍ୟ ସେବା, ଅତ୍ୟାବଶ୍ୟକ ଔଷଧ ଏବଂ ଟିକା ପାଇବାର ସମ୍ଭାବନା କମ୍ ରହିଥାଏ । ପ୍ରତିବନ୍ଧକ ସାମାଜିକ ଆଦର୍ଶ ଏବଂ ଲିଙ୍ଗଗତ ଅସମାନତା ମଧ୍ୟ ଗ୍ରାମାଞ୍ଚଳର ମହିଳାମାନଙ୍କର ସ୍ବାସ୍ଥ୍ୟ ସେବା ପାଇବାକୁ କ୍ଷମତାକୁ ସୀମିତ କରିପାରେ ।
ଏତଦବ୍ୟତୀତ ସେମାନେ ଗୁଜବ ପ୍ରଚାରର ଶିକାର ହୋଇଥାନ୍ତି । ମହିଳାଙ୍କ ବେତନ ପ୍ରାପ୍ତ କାର୍ଯ୍ୟରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ମଜୁରୀ ବ୍ୟବଧାନ ଅଧିକ । ଉଦାହରଣସ୍ବରୂପ, ଯଦି ଗ୍ରାମାଞ୍ଚଳର ମହିଳାମାନେ ପୁରୁଷଙ୍କ ପରି କୃଷି, ଶିକ୍ଷା ଏବଂ ବଜାରରେ କାର୍ଯ୍ୟ କରନ୍ତି ତେବେ କୃଷି ଉତ୍ପାଦନ ବୃଦ୍ଧି ପାଇବ ଓ ଭୋକିଲା ଲୋକଙ୍କ ସଂଖ୍ୟା 100-150 ମିଲିୟନ୍ ହ୍ରାସ ପାଇପାରେ ।
ଗ୍ରାମୀଣ ପରିବାର ଏବଂ ସମ୍ପ୍ରଦାୟର ସ୍ଥିରତା, ଗ୍ରାମୀଣ ଜୀବିକା ତଥା ସାମଗ୍ରିକ ଉନ୍ନତି ପାଇଁ ମହିଳାମାନେ ଯେଉଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି, ତାହା ଅଧିକ ମାନ୍ୟତା ପାଇଛି। ଅଣଔପଚାରିକ କାର୍ଯ୍ୟ ସମେତ କୃଷି ଶ୍ରମ ଶକ୍ତିର ଏକ ବୃହତ ଅଂଶ ମହିଳାମାନେ ଗ୍ରହଣ କରନ୍ତି ଏବଂ ଗ୍ରାମାଞ୍ଚଳର ପରିବାରରେ ଘରୋଇ କାର୍ଯ୍ୟ ମଧ୍ୟ କରନ୍ତି । କୃଷି ଉତ୍ପାଦନ, ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିକର ଖାଦ୍ୟ, ଜମି, ପ୍ରାକୃତିକ ସମ୍ପଦ ପରିଚାଳନା ଏବଂ ଜଳବାୟୁ ସ୍ଥିରତା ପାଇଁ ସେମାନେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦିଅନ୍ତି ।
ଏମିତିକି, ଗ୍ରାମାଞ୍ଚଳର ମହିଳାମାନେ ବହୁମୁଖୀ ଦାରିଦ୍ର୍ୟର ଶିକାର ହେଉଛନ୍ତି । ସର୍ବଭାରତୀୟ ସ୍ତରରେ ଅତ୍ୟଧିକ ଦାରିଦ୍ର୍ୟ ହ୍ରାସ ପାଇଥିବାବେଳେ ବିଶ୍ବର 1 ବିଲିୟନ ଲୋକ ଏବେବି ଦାରିଦ୍ର୍ୟରେ ସମୟ କାଟୁଛନ୍ତି । ଅଧିକାଂଶ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ସହରାଞ୍ଚଳ ତୁଳନାରେ ଅଧିକ । ତଥାପି ଏସିଆ ଏବଂ ସବ୍ ସାହାରା ଆଫ୍ରିକା ପ୍ରାୟ 80 ପ୍ରତିଶତ ଖାଦ୍ୟ ଉତ୍ପାଦନ କରେ ଏବଂ ପ୍ରାୟ 2.5 ବିଲିୟନ ଲୋକଙ୍କ ଜୀବିକାକୁ ସମର୍ଥନ କରେ ।
ମହିଳା କୃଷକମାନେ ସେମାନଙ୍କର ପୁରୁଷ ସହକର୍ମୀଙ୍କ ପରି ଉତ୍ପାଦନକାରୀ ଏବଂ ଉଦ୍ୟୋଗୀ ହୋଇପାରନ୍ତି କିନ୍ତୁ ଜମି, ଋଣ, କୃଷି ଇନପୁଟ, ବଜାର ଏବଂ ଉଚ୍ଚ ମୂଲ୍ୟର ଏଗ୍ରିଫୁଡ୍ ଚେନରେ ପ୍ରବେଶ କରିବାରେ ସକ୍ଷମ ନୁହଁନ୍ତି ଏବଂ ସେମାନଙ୍କ ଫସଲ ପାଇଁ କମ୍ ମୂଲ୍ୟ ହାସଲ କରନ୍ତି। ଗ୍ରାମାଞ୍ଚଳର ମହିଳାମାନେ ଉତ୍ପାଦନକାରୀ ସମ୍ବଳ ଏବଂ ସମ୍ପତ୍ତି, ଶିକ୍ଷା ତଥା ସ୍ବାସ୍ଥ୍ୟସେବା ଭଳି ଭିତ୍ତିଭୂମି ତଥା ଜଳ ଏବଂ ପରିମଳ ପରି ଭିତ୍ତିଭୂମି ସହିତ ସମାନ ସୁବିଧା ପାଇପାରୁନାହାଁନ୍ତି ।
ଭାରତରେ ଗ୍ରାମୀଣ ମହିଳାମାନଙ୍କର ସ୍ଥିତି-
ଜନଗଣନା 2011 ଅନୁଯାୟୀ, ଭାରତର ଜନସଂଖ୍ୟା 121.06 କୋଟି ଥିଲା ଏବଂ ଏଥିମଧ୍ୟରୁ 48.5 ପ୍ରତିଶତ ମହିଳା ଥିଲେ । 2011ରେ ସମଗ୍ର ଭାରତ ସ୍ତରରେ ଲିଙ୍ଗ ଅନୁପାତ 1000 ପୁରୁଷ ପ୍ରତି ମହିଳାଙ୍କ ସଂଖ୍ୟା 943 ଥିଲା । ସମସ୍ତ ଭାରତ ସ୍ତରରେ 2017ରେ ମହିଳାଙ୍କ ହାରାହାରି ବୟସ 22.1 ବର୍ଷ । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଯଥାକ୍ରମେ 21.7 ବର୍ଷ ଏବଂ 23.1 ବର୍ଷ ଅଟେ।
ଜାତୀୟ ନମୁନା ସର୍ବେକ୍ଷଣ ଅନୁଯାୟୀ (ଜୁଲାଇ 2011 - ଜୁନ୍ 2012), ଗ୍ରାମାଞ୍ଚଳରେ 11.5 ପ୍ରତିଶତ ପରିବାର ଏବଂ ସହରାଞ୍ଚଳରେ 12.4 ପ୍ରତିଶତର ପରିବାର ମୁଖ୍ୟ ଜଣେ ମହିଳା । ଜନଗଣନା 2011 ଅନୁଯାୟୀ, ସମସ୍ତ ଭାରତ ସ୍ତରରେ ସାକ୍ଷରତା ହାର 72.98 ପ୍ରତିଶତ । ମହିଳା ଏବଂ ପୁରୁଷଙ୍କ ସାକ୍ଷରତା ହାର ଯଥାକ୍ରମେ 64.63 ପ୍ରତିଶତ ଏବଂ 80.9 ପ୍ରତିଶତ ଥିଲା। ଗତ ଦଶନ୍ଧି ମଧ୍ୟରେ ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ସାକ୍ଷରତା ହାରରେ ସର୍ବାଧିକ ଉନ୍ନତି ପରିଲକ୍ଷିତ ହୋଇଥିଲା (24%) ।
ଗ୍ରାମୀଣ ମହିଳାମାନଙ୍କ ଉପରେ କୋଭିଡ୍-19 ପ୍ରଭାବ-
କୋଭିଡ-19 ମହାମାରୀ କେବଳ ସ୍ବାସ୍ଥ୍ୟ ସମସ୍ୟା ଉପରେ ନୁହେଁ ବରଂ ଜଳବାୟୁ ପରିବର୍ତ୍ତନର ଆଗ ଧାଡିରେ ଥିବା ଲୋକଙ୍କ ପାଇଁ ମହାମାରୀ ଏବଂ ଏହାର ସଂପୃକ୍ତ ଲକଡାଉନ୍ ଗୁଡିକ ସାଧାରଣ ଜୀବନ ଉପରେ ପ୍ରଭାବ ପକାଇଥିଲା। ଏହା ଆମ ସମାଜ ଏବଂ ଅର୍ଥନୀତି ପାଇଁ ଏକ ଗଭୀର ଆଘାତ ।
ଫ୍ରଣ୍ଟ-ଲାଇନ୍ ୱାରିୟର୍ସ, ସ୍ବାସ୍ଥ୍ୟ ବିଶେଷଜ୍ଞ, ସ୍ବେଚ୍ଛାସେବୀ, ବୈଜ୍ଞାନିକ ଆଦି କ୍ଷେତ୍ରରେ ମହିଳାମାନେ ପ୍ରତିଦିନ ଗୁରୁତ୍ବପୂର୍ଣ୍ଣ ଅବଦାନ ଦେଉଛନ୍ତି। ସେମାନଙ୍କର ସଂକ୍ରମଣ ଏବଂ ଜୀବିକା ହରାଇବାର ଆଶଙ୍କା ବଢିଛି । ପୁଣି ଏସମୟରେ ଘରୋଇ ହିଂସା ବଢିବାରେ ଲାଗିଛି ।
ଯଦିଓ ସଂକ୍ରମଣ ହାର ଏବଂ ରୋଗ ଜନିତ ତଥ୍ୟ ଦର୍ଶାଏ ଯେ ପୁରୁଷମାନେ କୋଭିଡ-19 କାରଣରୁ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିବାର ସମ୍ଭାବନା ଅଧିକ ତଥାପି ମହାମାରୀର ଭାର ଅଧିକାଂଶ ଦେଶରେ ମହିଳାଙ୍କ କାନ୍ଧରେ ଅନୁପଯୁକ୍ତ ଭାବରେ ପଡୁଛି। ଘରୋଇ କାର୍ଯ୍ୟ, ଚାକିରି, କ୍ଷତି ଓ ହିଂସା ମହିଳାମାନଙ୍କ ମଧ୍ୟରେ ଅଧିକ ଚାପ ଏବଂ ଚିନ୍ତାର କାରଣ ହୋଇପାରେ।
ଲିଙ୍ଗଗତ ଅସମାନତା ମହିଳାଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହା ଅର୍ଥନୈତିକ ଅସମାନତାର ମଧ୍ୟ ଏକ କାରଣ । ଦେଶ ଗୁଡିକ ଧୀରେ ଧୀରେ ପୁନରୁଦ୍ଧାରର ପ୍ରତିକ୍ରିୟାରୁ ଗତି କରୁଥିବାବେଳେ ମହିଳାମାନେ କିନ୍ତୁ ବର୍ତ୍ତମାନ କିଛି ମାତ୍ରାରେ ପଛୁଆ ହୋଇଯାଇଛନ୍ତି ।
ଗ୍ରାମାଞ୍ଚଳର ମହିଳାମାନଙ୍କ ସମସ୍ୟା-
ଲିଙ୍ଗଗତ ପକ୍ଷପାତିତା, ଅଳ୍ପ ବୟସରେ ପାରିବାରିକ ଦାୟିତ୍ବ, ଭାଷା ସମସ୍ୟା, ପାରିବାରିକ ସମସ୍ୟା ଆଦି ସମସ୍ୟାର ସମ୍ମୁଖୀନ ହୁଅନ୍ତି । ମହିଳା ନିରାପତ୍ତା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ। ଚାକିରି ପାଇବା ସେମାନଙ୍କ ପାଇଁ ସହଜ ହୋଇନଥାଏ । ନିୟମିତ ମଜୁରୀ କର୍ମଚାରୀଙ୍କ ମଧ୍ୟରେ ମହିଳା ଶ୍ରମିକଙ୍କୁ ଦିଆଯାଉଥିବା ମଜୁରୀ ପୁରୁଷଙ୍କ ଠାରୁ ଢେର୍ କମ୍ ।
ଗ୍ରାମାଞ୍ଚଳର ମହିଳାମାନେ ଶିକ୍ଷା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାକିରି ପାଇବା ପାଇଁ ଦକ୍ଷତା ବିକାଶ ଶିକ୍ଷା ବ୍ୟବସ୍ଥା ହଜିଯାଇଛି । ଆନୁଷ୍ଠାନିକ ଏବଂ ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ନିଶ୍ଚିତ ଭାବରେ ଏହି ଅଭାବ ରହିଛି। ଗ୍ରାମାଞ୍ଚଳର ମହିଳାମାନେ ଏହି ପ୍ରସଙ୍ଗରେ ସମ୍ମୁଖୀନ ହେଉଥିବା ସମସ୍ୟା ସେମାନଙ୍କ ରୋଜଗାର ଉପରେ ପ୍ରଭାବ ପକାଏ । ଅନେକଙ୍କର ମାନସିକତା ସମ୍ବନ୍ଧୀୟ ସମସ୍ୟା ଏବଂ ସେମାନଙ୍କ ପରିବାରର ସମର୍ଥନ ଅଭାବ ବି ସେମାନଙ୍କୁ ପଛକୁ ଟାଣିନିଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ