ଭୋପାଲ: ଅପରାଧୀଙ୍କୁ ଇନ୍ଦୋର ପୋଲିସ ଏପରି ଦଣ୍ଡ ଦେଇଛି, ଯେଉଁଥିପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି। ଲୋକମାନେ କରତାଳି ଦେଇ ପୋଲିସକୁ ଧନ୍ୟବାଦ ଦେଉଛନ୍ତି। ପୋଲିସ ଗୁରୁବାର ଦିନ ଦୁଇଜଣ ଅପରାଧୀଙ୍କୁ ଧରି ମଝି ରାସ୍ତାରେ ଦଣ୍ଡ ଦେଇଛି । ସମସ୍ତ ଲୋକଙ୍କ ସାମ୍ନାରେ ସେମାନଙ୍କୁ ଉଠବସ୍ କରାଇଛି ପୋଲିସ। କେବଳ ଏତିକି ନୁହେଁ, ଭୂମିରେ ଗଡି ସେମାନଙ୍କୁ କ୍ଷମା ପ୍ରାର୍ଥନା କରାଇଛି ପୋଲିସ। ତେବେ ଲୋକମାନେ ଏହା ଦେଖିବା ପାଇଁ ନିଜ ନିଜ ଘରର ବାଲକୋନିରେ ଜମା ହୋଇଥିଲେ । ଏଥିସହ ପୋଲିସ ପାଇଁ କରତାଳି ଦେବା ଆରମ୍ଭ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ଘଟଣାଟି ଇନ୍ଦୋରର ଦ୍ବାରିକାପୁରି ଅଞ୍ଚଳର । ଚୋରି କରିବା ଉଦ୍ଦେଶ୍ୟରେ ଦୁଇଜଣ ଯୁବକ ଗାଡି ମାଲିକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଘଟଣା ପରେ ସେହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଏହି ସମୟରେ ପୋଲିସ ସେଠାରେ ପହଞ୍ଚି ଉଭୟ ଯୁବକଙ୍କୁ କାବୁ କରି ସେମାନେ ନିଜ ନିକଟରୁ ଛୁରୀ ଉଦ୍ଧାର କରିଥିଲା । ଏହାପରେ ପୋଲିସ ସମସ୍ତଙ୍କ ସାମ୍ନାରେ ସେମାନଙ୍କୁ ଉଠବସ କରାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ