ନୂଆଦିଲ୍ଲୀ:ଦେଶରେ ଦ୍ରୁତ ଗତିରେ କୋରୋନା ମାମଲା ବଢି ବଢି ଚାଲିଛି । ଏହା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି । ଦେଶରେ ବର୍ତ୍ତମାନ କୋରୋନା ସୁସ୍ଥ ମାମଲା 58%ରୁ ଅଧିକ ବୃଦ୍ଧି ପାଇଛି ଏବଂ ପ୍ରାୟ 3 ଲକ୍ଷ ରୋଗୀ ଆରୋଗ୍ୟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ବର୍ତ୍ତମାନ 5 ଲକ୍ଷ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 3 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାକି ଥିବା ଆକ୍ରାନ୍ତ ଖୁବଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରାଯାଉଛି ବୋଲି ଡ. ହର୍ଷ ବର୍ଦ୍ଧନ କହିଛନ୍ତି। ଏଥିସହ ସେ କହିଛନ୍ତି, 85% ରୋଗୀ ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ଏହାଛଡା 8ଟି ରାଜ୍ୟରୁ କୋରୋନା କାରଣରୁ 87% ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।
ଦେଶର କୋରାନା ମାମଲାକୁ ଦେଖିଲେ କୋରୋନା ମୃତ୍ୟୁ ହାର 3 ପ୍ରତିଶତ ପାଖାପାଖି ରହିଛି । ଯାହା ବହୁତ କମ୍ ଅଟେ। ଆମର ଦ୍ୱିଗୁଣିତ ହାର ପ୍ରାୟ 19 ଦିନକୁ ଖସି ଆସିଛି । ଯାହା ଲକଡାଉନର 3 ଦିନ ପୂର୍ବରୁ ଥିଲା ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି। ଏଥିସହ କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋରୋନା ପରୀକ୍ଷା ବୃଦ୍ଧି କରାଯାଇଛି । ଗତ ଶୁକ୍ରବାର ଦେଶର 1,026 ଅନୁମୋଦିତ ଲ୍ୟାବରେ 2,30,000 ରୁ ଅଧିକ ପରୀକ୍ଷା କରାଯାଇଥିଲା।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ ପାର କରିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1,97,387 ଆକ୍ରାନ୍ତ ଆକ୍ଟିଭ, 2,95,880 ଆକ୍ରାନ୍ତ ସୁସ୍ଥ ଏବଂ ପାଖାପାଖି 16 ହଜାର ଆକ୍ରାନ୍ତ କୋରୋନାରେ ପ୍ରାଣ ହରାଇଛନ୍ତି ।