ବେଜିଂ: ଗତ ଜୁନ ମାସରୁ ଚୀନର ଜିଂଟ୍ୟାଙ୍କ ବନ୍ଦରରେ ଫସି ରହିଛି ଭାରତର ଏକ ବ୍ୟବସାୟିକ ଜାହାଜ। 5 ମାସରୁ ଧରି ଜାହାଜ ଫସି ରହିଥିବାରୁ କର୍ମଚାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। କିଛି କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗଡ଼ିବାରେ ଲାଗିଛି। ଫଳରେ ସେମାନଙ୍କୁ ଭାରତ ଫେରାଇ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଜାହାଜ କର୍ମଚାରୀ।
ଏହି ବ୍ୟବସାୟିକ ଜାହାଜଟି ମୁମ୍ବାଇସ୍ଥିତ ଏକ ଘରୋଇ କମ୍ପାନୀ ଗ୍ରେଟ ଇଣ୍ଡିଆନ ସିପିଂ ଲିମିଟେଡର ବୋଲି ଜଣା ପଡ଼ିଛି। ଏଥିରେ 1.70 ଲକ୍ଷ ଟନ ଅଷ୍ଟ୍ରେଲିୟ କୋଇଲା ରହିଛି। ଚୀନର ଏକ କମ୍ପାନୀ ପାଇଁ କିଛି କୋଇଲା ଏହି ବନ୍ଦରରେ ଅନଲୋଡ ହେବାକୁ ଥିଲା। କିନ୍ତୁ ଚୀନ ସରକାର ଏଥିରେ ଥିବା କୋଇଲାକୁ ଅନଲୋଡ କରିବାକୁ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି ଜାହାଜ କର୍ମଚାରୀ। ଏହାସହ କେଉଁ କାରଣରୁ ସେମାନଙ୍କୁ ଜାହାଜରେ ଥିବା କୋଇଲାକୁ ଅନଲୋଡ କରିବାକୁ ଦିଆଯାଉନାହିଁ ସେନେଇ କୌଣସି ସ୍ପଷ୍ଟୋକ୍ତି ଦେଉନାହାନ୍ତି ଚୀନ ସରକାର।
ଗତ ଜାନୁଆରୀ ମାସରେ ଜାହାଜଟି ଅଷ୍ଟ୍ରେଲିଆରୁ କୋଇଲା ନେଇ ଚୀନ ଅଭିମୁଖେ ବାହାରିଥିଲା ଜଗ ଆନନ୍ଦ ନାମକ ଏହି ବ୍ୟବସାୟିକ ଜାହାଜ। ଜୁନ ମାସ 13 ତାରିଖରେ ଏହି ଜାହାଜଟି ଚୀନ ବନ୍ଦରରେ ପହଞ୍ଚିଥିଲା। ଚୀନରେ କିଛି କୋଇଲା ଅନଲୋଡ କରିବା ପରେ ଏହା ଭାରତ ଅଭିମୁଖେ ବାହାରିବାକୁ ଥିଲା। ତେବେ କୋଇଲା ଅନଲୋଡ ହୋଇପାରୁନଥିବାରୁ କର୍ମଚାରୀମାନେ ସେଠାରେ 5 ମାସ ହେଲା ଫସି ରହିଛନ୍ତି। ଏଥିରେ 23 ଜଣ କର୍ମଚାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଥିବା ନେଇ ସୂଚନା ମିଳିଛି। ଜାହାଜରେ ଥିବା ଔଷଧ ମଧ୍ୟ ଶେଷ ହେବାକୁ ବସିଛି। ଏଭଳି ସ୍ଥିତିରେ ସେମାନଙ୍କୁ ଭାରତର ଫେରାଇ ନେବାକୁ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି କର୍ମଚାରୀ।
କୋଇଲା ନେବାକୁ ଥିବା ଚୀନର ଘରୋଇ କମ୍ପାନୀକୁ ଏନେଇ ଅବଗତ କରାଇଛନ୍ତି କର୍ତ୍ତୃପକ୍ଷ । ତେବେ ସେମାନେ ଏହାକୁ ନେଇ ଜିଂଟ୍ୟାଙ୍କ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚଳାଇଥିବା କଥା କହିଛନ୍ତି। ସେପଟେ ଘଟଣାକୁ ନେଇ ମୁମ୍ବାଇର ଘରୋଇ ବ୍ୟବସାୟିକ ଜାହାଜ କମ୍ପାନୀ କର୍ତ୍ତୃପକ୍ଷ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଅବଗତ କରାଯାଇଛି। ତେବେ କୌଣସି ଉତ୍ତର ମିଳି ପାରିନଥିବା ସୂଚନା ମିଳିଛି।
ଗତ 15 ମାସ ହେଲା କର୍ମଚାରୀ ଜାହାଜରେ ରହି କାର୍ଯ୍ୟ କରୁଛନ୍ତି। କୋଇଲା ଅନଲୋଡ ହୋଇପାରୁନଥିବାରୁ ଘରକୁ ଫେରି ପାରୁନାହାନ୍ତି। ଫଳରେ କର୍ମଚାରୀଙ୍କ ପରିବାର ଚିନ୍ତା ପ୍ରକଟ କରିଛନ୍ତି। କିଛି କର୍ମଚାରୀ ଉଚ୍ଚ ରକ୍ତଚାପ, ହାଇପରଟେନସନ ଓ ଡାଇବେଟିସ ଭଳି ରୋଗରେ ପୀଡ଼ିତ ରହିଛନ୍ତି। କେତେକ କର୍ମଚାରୀ କାମ କରୁଥିବା ବେଳେ ଆହତ ହୋଇଛନ୍ତି। ଚୀନ ବନ୍ଦର କର୍ତ୍ତୃପକ୍ଷ କୋଇଲା ଅନଲୋଡ ନକଲେ ସେମାନଙ୍କୁ ଜାପାନ ଦେଇ ଯିବାକୁ ଅନୁମିତ ଯୋଗାଇ ଦେବାକୁ ନିବେଦନ କରିଛନ୍ତି କର୍ମଚାରୀ।
@ani