ରାଞ୍ଚି: ଭାରତୀୟ ମହିଳା ଟେନିସ ବଲ କ୍ରିକେଟ ଖେଳାଳି ଅଂଶୁ ଯାଦବ ନିଖୋଜ । 24 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ନିଖୋଜ ଅଛନ୍ତି ଅଂଶୁ । ସେ ଘରୁ ସ୍କୁଲ ଯିବାକୁ ବାହାରିଥିଲେ । ମାତ୍ର ସ୍କୁଲରୁ ବର୍ତ୍ତମାନ ପର୍ଯ୍ୟନ୍ତ ଘରକୁ ଫେରିନଥିବା ଜଣାପଡ଼ିଛି ।
![Anshu Yadav](https://etvbharatimages.akamaized.net/etvbharat/prod-images/4457441_anshu.jpg)
ମିଳିଥିବା ସୂଚନା ମୁତାବକ ଅଂଶଙ୍କୁ ଘର କୋଦରମା ଜିଲ୍ଲାର ମରକଚ୍ଚେ ଥାନା ଅନ୍ତର୍ଗତ ଚୌପାନାଡ଼ିରେ । ସେ ସ୍କୁଲକୁ ଯିବା ପାଇଁ ସକାଳ ପ୍ରାୟ ସାଢେ ସାତଟାବେଳେ ଘରୁ ବାହାରିଥିଲେ । ମାତ୍ର ସଂଧ୍ୟା ପର୍ଯ୍ୟନ୍ତ ତାଙ୍କର କୌଣସି ସୂଚନା ମିଳିନଥିଲା । ଫଳରେ ପରିବାର ସଦସ୍ୟ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସୂଚନା ପାଇନଥିବା ସୂଚନା ମିଳିଛି ।
ଫଳରେ ପରିବାର ସଦସ୍ୟ ସ୍ଥାନୀୟ ମରକଚ୍ଚେ ଥାନାରେ ବିଳମ୍ବିତ ରାତ୍ରରେ ନିଖୋଜ ମାମଲା ରୁଜୁ କରିଛନ୍ତି । ତେବେ ଅଂଶୁ ଘରୁ ଯିବା ସମୟରେ ଏକ କଳା ରଙ୍ଗର ସାର୍ଟ ଓ ଟ୍ରାଉଜର ପିନ୍ଧିଥିବା ପରିବାର ସଦସ୍ୟ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ତେବେ ଅଂଶୁଙ୍କୁ ଖୋଜିବା ପାଇଁ ସ୍ଥାନୀୟ ବାସିନ୍ଦା ପୋଲିସକୁ ଅନୁରୋଧ କରିଛନ୍ତି ।
ସେପଟେ ଏ ନେଇ ପୋଲିସ ତନାଘନା ଆରମ୍ଭ କରିଛି । ଅଂଶୁଙ୍କ ବନ୍ଧୁ, ସାଙ୍ଗଙ୍କୁ ପଚରାଉଚୁରା ଜାରି ରଖିଛି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅଂଶୁଙ୍କ କୌଣସି ସୂଚନା ପାଇନାହିଁ ପୋଲିସ ।
ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଅଂଶୁ ଯାଦବ ପରସାବାଦରେ ଥିବା ନ୍ୟାସନାଲ ସ୍କୁଲରେ 10ମ ଶ୍ରେଣୀର ଛାତ୍ରୀ ଅଟନ୍ତି । ଗତବର୍ଷ ଅଂଶୁ ଶ୍ରୀଲଙ୍କା ଓ ନେପାଳ ବିପକ୍ଷରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ଖେଳିବା ପାଇଁ ଭାରତୀୟ ମହିଳା ଦଳ ପକ୍ଷରୁ ମନୋନୀତ ହୋଇଥିଲେ । ଏହା ବ୍ୟତୀତ ଅଂଶୁ ଯାଦବ ରାଜ୍ୟସ୍ତରରେ ମଧ୍ୟ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ବୋଲି ସେମାନେ କହିଛନ୍ତି ।