ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ(ଭାରତୀୟ ତୈଳ ସଂସ୍ଥା) ପକ୍ଷରୁ ଘୋଷଣା ହୋଇଛି ସ୍ବାସ୍ଥ୍ୟ ବୀମା । କୋରୋନା ଆତଙ୍କ ମଧ୍ୟରେ ଲୋକଙ୍କ ସେବା କରୁଥିବା କର୍ମଚାରୀଙ୍କୁ ଏହି ପୁରସ୍କାର ମିଳିବ । ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ଚାହିଦା ପୁରା କରୁଥିବା ସାଢେ 3 ଲକ୍ଷ କର୍ମଚାରୀଙ୍କୁ ଏହି ବୀମା ଦିଆଯିବ ।
ସଂସ୍ଥା ପକ୍ଷରୁ ଘୋଷିତ ଏହି ସ୍ବାସ୍ଥ୍ୟ ବୀମା ରାଶିର ଅଟକଳ 22.68 କୋଟି ରହିଛି । ଆଗାମୀ ଏକ ବର୍ଷ ପାଇଁ ଏହି ବୀମା 3.23 ଲକ୍ଷ କର୍ମଚାରୀଙ୍କ ଲାଗି ତିଆରି ହେବ । 4 ଜଣିଆ ସଦସ୍ୟ ଥିବା ପ୍ରତି ପରିବାରକୁ ଏକ ଲକ୍ଷ ଟଙ୍କାର ବୀମା ରାଶି ମିଳିବ । ସେହିପରି ସମସ୍ତ ସ୍ବାସ୍ଥ୍ୟଗତ ସେବା ଯୋଗାଯିବା ସହ କୋରୋନା ସଂକ୍ରମଣର ଚିକିତ୍ସା ମଧ୍ୟ କରାଯିବା ନେଇ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ସାଢେ 3 ଲକ୍ଷ କର୍ମଚାରୀଙ୍କ ମଧ୍ୟରେ ପମ୍ପ ଆଟେଣ୍ଡାଟ୍ସ, ଡେଲିଭରୀ ବୟ, ଏଲପିଜି ଡ୍ରାଇଭର ରହିଛନ୍ତି । ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରରେ ସମସ୍ତ ତୈଳ କର୍ମଚାରୀ ଲୋକଙ୍କ ସେବା ପାଇଁ ଉପଲବ୍ଧ ଥିବା ସୂଚନା ଦେଇଥିଲେ । ଏହି ସମୟରେ ସିଲିଣ୍ଡର ମିଳିବାରେ ଉପଭୋକ୍ତାଙ୍କୁ ଯେପରି କୌଣସି ସମସ୍ୟା ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଥିବା ସେ କହିଥିଲେ ।