ନୂଆଦିଲ୍ଲୀ: ବାହ୍ୟ ଶତ୍ରୁ ଆକ୍ରମଣ ଆଶଙ୍କା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସକାଶେ, ଖୁବଶୀଘ୍ର ଭାରତୀୟ ସେନାକୁ ମିଳିବ ଏକ ଅତ୍ୟାଧୁନିକ ଅସ୍ତ୍ର । ତାହା ବି, କେବଳ ସେନାବାହିନୀର ଆବଶ୍ୟକତା ପୂରଣ ଲାଗି ଉଦ୍ଦିଷ୍ଟ ଏକ ଅତ୍ୟାଧୁନିକ ଉପଗ୍ରହ ରୂପରେ । ଅତିଶୀଘ୍ର ଏହାକୁ ପ୍ରେରଣ କରାଯିବା ଆଶା ରହିଛି ।
ଏ ସଂପର୍କିତ ଘଟଣାବଳୀ ସହ ସୁପରିଚିତ ଜଣେ ଅଧିକାରୀ ଇଟିଭି ଭାରତକୁ କହିଛନ୍ତି, “ଉଚ୍ଚ ଗୁଣମାନର ଚିତ୍ର ଉତ୍ତୋଳନ କ୍ଷମତାସଂପନ୍ନ ଏହି ଉପଗ୍ରହ ଭାରତୀୟ ସେନାର କ୍ଷମତାକୁ ବହୁଗୁଣିତ କରିବ ଏବଂ ଏହା ଖୁବ୍ ଶୀଘ୍ର ପଠାଯିବ ବୋଲି ଆଶା କରାଯାଉଛି ।”
ନାମ ପ୍ରକାଶ ନକରିବା ସର୍ତ୍ତରେ ସେ ଆହୁରି କହିଛନ୍ତି ଯେ, “ଯୋଗାଯୋଗ, ରିମୋଟ୍ ସେନ୍ସିଂ, ସନ୍ଦିଗ୍ଧ ପକ୍ଷର ଗତିବିଧି ଉପରେ ସତର୍କ ନଜର ଏବଂ ଗୁଇନ୍ଦା ତଥ୍ୟ ସଂଗ୍ରହ କ୍ଷେତ୍ରରେ ଏହା ସେନାବାହିନୀର ଆବଶ୍ୟକତା ପୂରଣ କରିବ । ଅତ୍ୟାଧୁନିକ ଡ୍ରୋନ୍ ସଂଚାଳନକୁ ମଧ୍ୟ ଏହା ସୁଗମ କରିବ ।”
ସୁତରାଂ, ଯେଉଁ ସବୁ ସର୍ବାଧିକ ସୁରକ୍ଷିତ ବ୍ୟବସ୍ଥା କ୍ଷେତ୍ରରେ ଗୋପନୀୟତାକୁ ଏକ ପ୍ରାଥମିକତା ବୋଲି ବିବେଚନା କରାଯାଏ, ସେ ସବୁ କ୍ଷେତ୍ରରେ ଉପଯୋଗ ଲାଗି ସେନା ପାଖରେ ନିଜସ୍ବ ସ୍ବତନ୍ତ୍ର ଯୋଗାଯୋଗ ବ୍ୟବସ୍ଥା ରହିବ ।
ରିମୋଟ୍ ସେନ୍ସିଂ ଏବଂ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବା କ୍ଷମତା ଯୋଗୁଁ ଏହି ଉପଗ୍ରହ “ଆକାଶରେ ଏକ ଆଖି” ସଦୃଶ କାର୍ଯ୍ୟ କରିବ ଏବଂ ପାକିସ୍ତାନ ସୀମାରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଅନୁପ୍ରବେଶ କରିବାକୁ ଉଦ୍ୟମରତ ଆତଙ୍କବାଦୀଙ୍କ ମୁକାବିଲା ସହିତ ସେନା ବାହିନୀର ଅଗ୍ରଗତି, ମୁତୟନ ଏବଂ ସୀମାନ୍ତର ଅନ୍ୟାନ୍ୟ ସାମରିକ ସ୍ଥିତି ଅନୁଧ୍ୟାନ କରିବ ।
ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳ ବ୍ୟତୀତ, ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସାମରିକ ସ୍ଥଳୀ ଏବଂ ସମ୍ବେଦନଶୀଳ ସ୍ଥାନ ଉପରେ ମଧ୍ୟ ଏହି ଉପଗ୍ରହ ନଜର ରଖିବ । ଭାରତର 55ଟି ଉପଗ୍ରହ ମଧ୍ୟରୁ ପ୍ରାୟ 8-10ଟି ସାମରିକ ସେବାରେ ନିୟୋଜିତ । ନିକଟ ଭବିଷ୍ୟତରେ ଅଧିକସଂଖ୍ୟକ ସାମରିକ ଉପଗ୍ରହ ପ୍ରେରଣ କରାଯିବ ବୋଲି ଆଶା କରାଯାଉଛି ।
ବର୍ତ୍ତମାନ ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ 34ଟି ଦେଶର 327ଟି ଉପଗ୍ରହ ମହାକାଶକୁ ପ୍ରେରଣ କରିଛି । ଏଥିରୁ ବିଶେଷ ଉଲ୍ଲେଖନୀୟ ହେଲା 2017 ଫେବ୍ରୁଆରୀ 15 ତାରିଖରେ ପଠାଯାଇଥିବା ପିଏସ୍ଏଲ୍ଭି-ସି-37 ମହାକାଶ ଅଭିଯାନ, ଯେଉଁଥିରେ ରେକର୍ଡ ସଂଖ୍ୟକ 104ଟି ଉପଗ୍ରହ ପ୍ରେରଣ କରାଯାଇଥିଲା ।
2019 ନଭେମ୍ବରରେ ପ୍ରେରଣ କରାଯାଇଥିଲା ଭାରତୀୟ ଉପଗ୍ରହ କାର୍ଟୋସାଟ୍-3 । ଭୂପୃଷ୍ଠରୁ 500 କିଲୋମିଟର ଉପରେ ଥାଇ 25 ସେ.ମି. ଆକାରର କ୍ଷୁଦ୍ର ବସ୍ତୁଗୁଡ଼ିକୁ ଭିନ୍ନ ଭିନ୍ନ ଭାବେ ଚିହ୍ନଟ କରିପାରିବା କ୍ଷମତା ଏହାର ରହିଛି ।
2019ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପ୍ରେରଣ କରିଥିବା ‘ଏମିସାଟ୍’ ଉପଗ୍ରହ, ଭୂପୃଷ୍ଠରେ ସଂଚରିତ ଇଲେକ୍ଟ୍ରୋନିକ୍ ସଂକେତକୁ ବାରି ପାରିବ । ଏହାର ଅର୍ଥ, ଶତ୍ରୁପକ୍ଷର ରାଡାର ସମେତ ଗୋପନରେ ସ୍ଥାପିତ ଯୋଗାଯୋଗ କେନ୍ଦ୍ର ଏବଂ ଉପକରଣ ବି ଭାରତର ଆଖି ଆଢୁଆଳରେ ରହିପାରିବ ନାହିଁ । ମାଇକ୍ରୋସାଟ୍-ଆର୍ ନାମକ ଅନ୍ୟ ଏକ ଉପଗ୍ରହ ରାତିରେ ଚିତ୍ର ଉତ୍ତୋଳନ କରିପାରିବ ।
ପୂର୍ବରୁ ଭାରତୀୟ ନୌସେନା ପାଖରେ ନିଜସ୍ବ ଉପଗ୍ରହ ‘ରୁକ୍ମିଣୀ’ ରହିଛି । ଏହାକୁ 2013 ଅଗଷ୍ଟରେ ପ୍ରେରଣ କରାଯାଇଥିଲା । ସେହିଭଳି, ଭାରତୀୟ ବାୟୁ ସେନା ପାଖରେ ରହିଛି 2018 ନଭେମ୍ବରରେ ପଠା ଯାଇଥିବା ‘ଜିସାଟ୍-7ଏ’ ।
କୌତୁହଳର କଥା ଯେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ମଧ୍ୟ ଏକ ନିଜସ୍ବ ଉପଗ୍ରହ ପ୍ରେରଣ ପ୍ରସ୍ତାବ ଉପରେ ବିଚାର କରୁଛି । ମୁଖ୍ୟତଃ ଏହା ଆତଙ୍କବାଦ, ସନ୍ତ୍ରାସବାଦ ଏବଂ ବାମପନ୍ଥୀ ଉଗ୍ରବାଦର ମୁକାବିଲାରେ ପ୍ରମୁଖ ଭୂମିକା ନେଉଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଏବଂ ସୀମା ସୁରକ୍ଷା ବଳ ଭଳି ଅର୍ଦ୍ଧ ସାମଗିକ ବାହିନୀର ଆବଶ୍ୟକତା ପୂରଣ କରିବ ।
ଅଧିକାରୀ ଜଣକ ଏହା ବି କହିଛନ୍ତି, “ଆଗକୁ ଏକ ସମର୍ପିତ ଉପଗ୍ରହର ଆବଶ୍ୟକତା ରହିଛି ବୋଲି ଏକ ଆଭ୍ୟନ୍ତରୀଣ ଅନୁଧ୍ୟାନ ରିପୋର୍ଟରେ କରାଯାଇଥିବା ସୁପାରିସ ଅନୁସାରେ ଗୃହ ମନ୍ତ୍ରାଳୟ କାମ କରୁଛି ।”
ସାମରିକ ଏବଂ ନିରାପତ୍ତା କ୍ଷେତ୍ର ଦିଗରେ ସମର୍ପିତ ଉପଗ୍ରହଗୁଡ଼ିକ 24,600 କୋଟି ଟଙ୍କା ପୁଞ୍ଜି ସମ୍ବଳିତ ଭାରତର ମହତ୍ତ୍ବକାଂକ୍ଷୀ ପ୍ରକଳ୍ପ ‘ନେଟ୍ୱର୍କ ଫର୍ ସ୍ପେକ୍ଟ୍ରମ୍ (ଏନ୍ଏଫ୍ଏସ୍)’ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବ । ସମ୍ବେଦନଶୀଳ ଗୁଇନ୍ଦା ତଥ୍ୟର ସୁରକ୍ଷା କ୍ଷେତ୍ରରେ ଦେଶ ଓ ବିଦେଶର ବିଭିନ୍ନ ସଂସ୍ଥା ସହ ଭାରତର ସଶସ୍ତ୍ର ସେନା ବାହିନୀର ବିଭିନ୍ନ ବିଭାଗର ଯୋଗାଯୋଗରେ ଚରମ ଗୋପନୀୟତା ବଜାୟ ରଖିବା ଏହି ପ୍ରକଳ୍ପର ଆଭିମୁଖ୍ୟ ।
ଏହା ବ୍ୟତୀତ, କଣ୍ଠସ୍ବର, ଭିଡିଓ ଏବଂ ତଥ୍ୟ ବିନିମୟ ନିମନ୍ତେ, ତଥ୍ୟ ବିଶ୍ଲେଷଣକାରୀ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଅତ୍ୟାଧୁନିକ ନେଟ୍ୱର୍କ ସହିତ ଏନ୍ଏଫ୍ଏସ୍ ସହଜରେ କାର୍ଯ୍ୟ କରିପାରିବ ।
ସଞ୍ଜୀବ କୁମାର ବରୁଆ