ସମୁଦ୍ର ମଧ୍ୟରୁ ନିକ୍ଷେପ ହୋଇପାରୁଥିବା ସାମୁଦ୍ରିକ କ୍ଷେପଣାସ୍ତ୍ର କେ-୪ର ସଫଳ ପରୀକ୍ଷଣ କରିଛି ଭାରତ । ରବିବାର ଆନ୍ଧ୍ରପ୍ରଦେଶ ନିକଟସ୍ଥ ବଙ୍ଗୋପସାଗର ମଧ୍ୟରେ ଥିବା ଏକ ଭାସମାନ ଜେଟି(ଡଙ୍ଗା)ରୁ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଥିଲା । ଏହା ୩୫୦୦ କିଲୋମିଟର ଯାଏଁ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚିବାର କ୍ଷମତା ରଖିଛି । ଯଦିଓ ଏହା ବାବଦରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ, କିନ୍ତୁ ବିଶ୍ଵସ୍ତ ସରକାରୀ ସୂତ୍ରରୁ ଜଣାପଡିଛି ଯେ ଏହି ସଫଳତା ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଏକ ନୂଆ ଆଶା ଦେଇଛି । ପୁଣି କେ-୪ ଏସ୍ଏଲ୍ବିଏମ୍ର ଚକ୍ରାୟମାନ ତ୍ରୁଟି ସମ୍ଭାବନା(ସିଇପି) ଚୀନ ଦ୍ଵାରା ପ୍ରସ୍ତୁତ କ୍ଷେପଣାସ୍ତ୍ରଠାରୁ ଯଥେଷ୍ଟ ଉଚ୍ଚକୋଟୀର ଥିବା ଉଲ୍ଲେଖ କରାଯାଇଛି ।
ଯଦିଓ ଏହି କେ-୪ ଏସ୍ଏଲ୍ବିଏମ୍ର ସଫଳତା ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆର୍ଡିଓ)ର ବୈଜ୍ଞାନିକମାନଙ୍କ ଉଦ୍ୟମ ପ୍ରଶଂସନୀୟ, କିନ୍ତୁ ଏହା ସାହାଯ୍ୟରେ ଯେ ଭାରତ ସମୁଦ୍ର ଗର୍ଭରେ ସମ୍ମୁଖୀନ ହେବାକୁ ଥିବା ସମସ୍ତ ଆଣବିକ ବିପଦକୁ ମୁକାବିଲା କରିପାରିବ ତାହା କହିବା ଅତିରଞ୍ଜିତ ହେବ । ଏହା ସତ୍ୟ ଯେ ଭାରତ ନିକଟରେ ବିଶ୍ଵ ଆଣବିକ ଯୁଦ୍ଧାସ୍ତ୍ରଧାରୀ ଦେଶଙ୍କ କ୍ଲବ୍ରେ ପ୍ରବେଶ କରିଛି । ଏଣୁ କେ-୪କୁ ଅଧିକ ପ୍ରଯୁକ୍ତିଗତ ଉପାୟରେ ପ୍ରସ୍ତୁତ କରିବା ଆବଶ୍ୟକ ରହିଛି । ଅପରପକ୍ଷେ ଦେଖିବାକୁ ଗଲେ, ଯଦି ଆମେ ଏସ୍ଏଲ୍ବିଏମ୍ ବିଷୟକୁ ଆଲୋଚନା କରୁ ତେବେ ଏ କ୍ଷେତ୍ରରେ ଆମେରିକା ଏବଂ ଋଷ ଆଗୁଆ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ସୋଭିଏତ୍ ୟୁନିୟନ୍ରୁ ଅଲଗା ହେବା ପରେ ଋଷ ତାହାର ୟୁନିୟନର ସମସ୍ତ ସାମରିକ ଅସ୍ତ୍ରଶସ୍ତ୍ରକୁ ଅକ୍ତିଆର କରି ଏହି ଶକ୍ତି ହାସଲ କରିପାରିଛି ।
କୋଲ୍ଡ ୱାର୍ ସମୟରେ ଅର୍ଥାତ୍ ୧୯୮୦ ଦଶକରେ ଆମେରିକା ଏବଂ ଋଷ ଆଣବିକ ଶକ୍ତି ସମ୍ପନ୍ନ ଏହିପରି ଏସ୍ଏଲ୍ବିଏମ୍ ବିଭିନ୍ନ ସ୍ଥାନରେ ମୁତୟନ କରିଥିଲେ । ଆଣବିକ ଅସ୍ତ୍ରଶସ୍ତ୍ରକୁ ପରିବହନ କରିବା ଲାଗି ସ୍ଵତନ୍ତ୍ର ଭାବେ ନିର୍ମାଣ ହୋଇଥିବା ସବମେରାଇନ୍ ପରିବାହକ ଉପରେ ଏହାକୁ ସଜ୍ଜିତ କରାଯାଇ ଅଣ ଅଧ୍ୟୁଷିତ ସ୍ଥାନରେ ରଖାଯାଇଥିଲା । ଉଦ୍ଦେଶ୍ୟ ଥିଲା ଏହିପରି କ୍ଷେପଣାସ୍ତ୍ର ଯେମିତି ଅନ୍ୟମାନଙ୍କ ଦୃଷ୍ଟି ଆଢ଼ୁଆଳରେ ଅଭେଦ୍ୟ ହୋଇରହିପାରିବ । ଏହିସବୁ ଏସଏଲ୍ବିଏମ୍ ୧୨ ହଜାର କିଲୋମିଟର ଦୂରର ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରଖିଥିଲା । ପୁଣି ସେତବେଳେ ଏହି କ୍ଷେପଣାସ୍ତ୍ରର ସିଇପି ୧୦୦ ମିଟର ଭିତରେ ଥିଲା ।
ଯୁକ୍ତରାଜ୍ୟ ଏବଂ ଫ୍ରାନ୍ସ ପ୍ରଭୃତି ରାଷ୍ଟ୍ର ମଧ୍ୟମ ଧରଣର ଆଣବିକଶକ୍ତି ସମ୍ପନ୍ନ ରାଷ୍ଟ୍ର । ସାମୁଦ୍ରିକ କ୍ଷେତ୍ରକୁ ବିଚାର କଲେ ଏହି ଦେଶ ସବୁ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଦ୍ଧ-ସାମୁଦ୍ରିକ ରଣକୌଶଳ ଉପରେ ନିର୍ଭରଶୀଳ । ଚୀନ ଅକ୍ଟୋବର ୧୯୬୪ ମସିହାରେ ନିଜକୁ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ବୋଲି ଘୋଷଣା କରିଥିଲା । ୧୯୮୨ ମସିହାରେ ଏହି ଦେଶ ପ୍ରଥମ ଏସ୍ଏଲ୍ବିଏମ୍ ପରୀକ୍ଷଣ କରିଥିଲା । ସେତେବେଳେ ପରୀକ୍ଷଣ ହୋଇଥିବା ଏହି କ୍ଷେପଣାସ୍ତ୍ରର ନାଁ ଜେଏଲ୍-୧ ଥିଲା ଯାହା ମଧ୍ୟମ ଦୂରତାର ଲକ୍ଷ୍ୟସ୍ଥଳକୁ ପହଞ୍ଚିବାର କ୍ଷମତା ରକ୍ଷା କରିଥିଲା । ଅତିବେଶୀରେ ୧୭୦୦ କିଲୋମିଟରକୁ ଏହା ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଥିଲା । ପରବର୍ତ୍ତୀ ସମୟରେ ଚୀନ୍ ଏହାର ସୀମା ଭିତରେ ଥିବା ସାଗର ମଧ୍ୟରେ ଅଧିକ ନିବେଶ କରିଥିଲା । ଫଳରେ ଏହାର ସାମୁଦ୍ରିକ ପୋତ ସଂଖ୍ୟା ବଢିଲା । ନଭେମ୍ବର ୨୦୧୮ରେ ଚୀନ୍ ୯୦୦୦ କିଲୋମିଟର ଦୂରଗାମୀ ଏସ୍ଏଲ୍ବିଏମ୍ର ପରୀକ୍ଷଣ କରାଇଛି । ଏହାର ନାଁ ରହିଛି ଜେଏଲ୍-୩ । ପ୍ରସ୍ତାବିତ ରଣକୌଶଳ ଅନୁସାରେ ଏହି କ୍ଷେପଣାସ୍ତ୍ରକୁ ଚୀନ ୨୦୨୫ ସୁଦ୍ଧା ସେନା ବାହିନୀରେ ସାମିଲ ତଥା ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଇବ ।
ଏଣୁ ବିଶ୍ଵସ୍ତରରେ ସାମରିକ ରଣକୌଶଳ ତଥା ଆଞ୍ଚଳିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ଏହାର ଜଳ ପରିସୀମାର ସମୁଦ୍ର ଗର୍ଭରେ ଆଣବିକ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ରକୁ ମୁତୟନ କରିବା ଦରକାର । ଏଠାରେ ମନେ ପକାଇଦେବା ଜରୁରୀ ଯେ ସମୁଦ୍ର ଗର୍ଭରେ ଭାରତ ନିଜର ଆଣବିକ ଉପସ୍ଥିତି ୨୦୧୮ରେ ଜାହିର କରିଥିଲା । ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ଭାରତର ଗର୍ବ ଓ ଗୌରବ ଭାବେ ପୋତାଜାହାଜ ଆରିହନ୍ତ ସମୁଦ୍ର ଗର୍ଭରେ ଉପସ୍ଥିତ ହେଲା । ପ୍ରଧାନମନ୍ତ୍ରୀଙ୍କ ଏହି ଟ୍ବିଟ୍ ବିଶ୍ଵସ୍ତରକୁ ଏହି ବାର୍ତ୍ତା ଦେଲା ଯେ ଭାରତ ଏବେ ଏମିତି ଏକ ରାଷ୍ଟ୍ର ଯାହା ପାଖରେ ମଧ୍ୟମ ହେଲେ ବି ଏକ ବିଶ୍ଵସନୀୟ ସାମୁଦ୍ରିକ ଅସ୍ତ୍ର ମହଜୁଦ ରହିଛି ।
‘ମଧ୍ୟମ’ ଶବ୍ଦକୁ ଏଠାରେ ଆଉ ଟିକିଏ ବ୍ୟାଖ୍ୟା କରିବା ଆବଶ୍ୟକ । କାରଣ ଏହା ଯେ ଆରିହନ୍ତ ପୋତାଜାହାଜରେ ଯେଉଁ କ୍ଷେପଣାସ୍ତ୍ର ସଂଯୋଗ ହୋଇଛି ତାହା ମାତ୍ର ୭୫୦ କିଲୋମିଟର ଦୂର ଲକ୍ଷ୍ୟଭେଦ କରିପାରିବ । ଏଣୁ ଏହାପରେ ଯେଉଁ ଏସ୍ଏସ୍ବିଏନ୍ ସିରିଜ୍ର ଜାହାଜ ତିଆରି ହୋଇଛି ସେଥିଲାଗି ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ଆବଶ୍ୟକ । ଆଶା କରାଯାଉଛି କେ-୪ ସିରିଜ୍ର କ୍ଷେପଣାସ୍ତ୍ର ଏହି ଆବଶ୍ୟକତାକୁ ପୂରଣ କରିପାରିବ ।
ଯେତେବେଳେ ଆରିହନ୍ତ ତାହାର ପ୍ରଥମ ପ୍ରଦକ୍ଷିଣକୁ ଶେଷ କରିଲା ସେତେବେଳେ ପୂର୍ବତନ ନୌସେନା ମୁଖ୍ୟ ତଥା ଚିଫ୍ ଅଫ୍ ଷ୍ଟାଫ୍ କମିଟି(ସିଓଏସ୍ସି) ଅଧ୍ୟକ୍ଷ ଆଡମିରାଲ ଅରୁଣ ପ୍ରକାଶ କହିଥିଲେ ଯେ ଆଣବିକ ତ୍ରିପଦର ତୃତୀୟ ଗୋଡ ଭାବେ, ଏକ ଏସ୍ଏସ୍ବିଏନ୍ ସମୁଦ୍ର ଗର୍ଭରେ ରହି ଆଣବିକ ଶକ୍ତି ଧାରଣ କରିବା ସହ ଶତ୍ରୁ ପକ୍ଷକୁ ଜବାବ ଦେବା ଲାଗି ପ୍ରସ୍ତୁତ ହୋଇଛି । ଏହା ଦେଶର ଆଣବିକ ସୀମାକୁ ଅଧିକ ସାହସ ଯୋଗାଇଛି । ତଥାପି ଭାରତକୁ ଅଧିକ ଦୂରଗାମୀ ଆଣବିକ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ଆବଶ୍ୟକ ରହିଛି, ଯାହା ସମୁଦ୍ରଗର୍ଭରୁ ଉତକ୍ଷେପଣ କରାଯାଇପାରିବ ଏବଂ ମହାଦ୍ଵିପୀୟ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ । ଏସବୁ ବହୁଦୂରଗାମୀ କ୍ଷେପଣାସ୍ତ୍ର ଆରବ ସାଗର ଏବଂ ବଙ୍ଗୋପସାଗର ପରି ସୁରକ୍ଷା ସ୍ଵର୍ଗରେ ରହି ଶତ୍ରୁ ପକ୍ଷକୁ ଏବଂ ଶତ୍ରୁ ଦେଶର ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରିବାରେ ସହାୟକ ହେବ ।
ଜାନୁୟାରୀ ୧୯ ତାରିଖରେ ପରୀକ୍ଷଣ ହୋଇଥିବା କେ-୪ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ ଦୂରତା ରହିଛି ୩୫୦୦ କିଲୋମିଟର । ଲକ୍ଷ୍ୟଭେଦ ଦୂରତାକୁ ଦେଖିଲେ ଏହା ଅଳ୍ପ ଲାଗୁଥାଇପାରେ କିନ୍ତୁ ଉଚିତ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ । କାରଣ କୌଣସି ଦେଶ ପାଇଁ ସମୁଦ୍ର ଗର୍ଭରୁ ଆଣବିକ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ର ନିକ୍ଷେପ କ୍ଷମତା ହାସଲ କରିବା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ବୋଲି ଗ୍ରହଣ କରାଯାଉଛି । ଏହାକୁ ଏକ ପ୍ରମୁଖ ଆହ୍ବାନ ଭାବେ ଅନ୍ୟ ଦେଶମାନେ ଗ୍ରହଣ କରୁଛନ୍ତି । ଭୂପୃଷ୍ଠରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ସବୁର ଦୁଇଟି ପଥ ଥାଏ । ଗୋଟିଏ ପୃଥିବୀର ବାୟୁମଣ୍ଡଳୀୟ ପଥ ଏବଂ ଅନ୍ୟଟି ବାୟୁମଣ୍ଡଳର ଯଥେଷ୍ଟ ଉର୍ଦ୍ଧ୍ବରେ । କିନ୍ତୁ ସାମୁଦ୍ରିକ କ୍ଷେପଣାସ୍ତ୍ରରେ ତିନୋଟି ଦିଗ ରହିଥାଏ । ଯେତେବଳେ ସମୁଦ୍ରଗର୍ଭରୁ ଏହାର ଉତ୍କ୍ଷେପଣ ହୁଏ, ଏହି ଏସ୍ଏଲ୍ବିଏମ୍ ପ୍ରଥମେ ଜଳପଥ ପରେ ପୃଥିବୀର ବାୟୁ ମଣ୍ଡଳ ଓ ଏହା ପରେ ବାୟୁମଣ୍ଡଳ ଉପରକୁ ଗତି କରିଥାଏ । ପରବର୍ତ୍ତୀ ସମୟରେ ପୃଥିବୀ ପୃଷ୍ଠରେ ଲକ୍ଷ୍ୟସ୍ଥଳକୁ ଭେଦ କରିବା ଲାଗି ପୁଣିଥରେ ଏହି କ୍ଷେପଣାସ୍ତ୍ର ବାୟୁମଣ୍ଡଳକୁ ପ୍ରବେଶ କରିଥାଏ ।
ଏଣୁ ଏହିପରି କ୍ଷେପଣାସ୍ତ୍ରକୁ ଅଗ୍ନି ସଂଯୋଗ କରିବା ଓ ପରିଚାଳନା କରିବା ମଧ୍ୟ ଏକ ଜଟିଳ କାର୍ଯ୍ୟ ହୋଇଥାଏ। ଯେତେବେଳେ ଏକ ଉଚ୍ଚକ୍ଷମତାସମ୍ପନ୍ନ ସାମୁଦ୍ରିକ କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯିବ ତାହାର ପ୍ରତିଟି ଦିଗ ତଥା ସମୁଦ୍ର ଭିତରେ ଏହାର ପ୍ରଭାବକୁ ମଧ୍ୟ ବିଚାର କରିବାକୁ ପଡିଥାଏ । ଜାନୁୟାରୀ ୧୯ରେ ଏହି କ୍ଷେପଣାସ୍ତ୍ରକୁ ଏକ ବୁଡାଜାହାଜ ଉପରୁ ନିକ୍ଷେପ କରାଯାଇ ପରୀକ୍ଷଣ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଏହି କ୍ଷେପଣାସ୍ତ୍ରକୁ ଆରିହାନ୍ତ ଶ୍ରେଣୀର ପୋତ ଉପରୁ ପରୀକ୍ଷଣ କରିବାକୁ ହେବ । ଅନ୍ୟ ଦେଶଗୁଡିକରେ ଏହିପରି ପରୀକ୍ଷଣ ତଥା ସେନାବାହିନୀରେ ସାମିଲ କରିବା ପ୍ରକ୍ରିୟାକୁ ଦେଖିଲେ ଆମ ଦେଶରେ ପ୍ରସ୍ତାବିତ ଏସ୍ଏଲ୍ବିଏମ୍ଟି ସମ୍ପୂର୍ଣ୍ଣ ଭାବରେ ସଫଳ ପରୀକ୍ଷଣ କରାଯାଇ କାର୍ଯ୍ୟକ୍ଷମ କରାଇବା ଲାଗି ଆହୁରି ଅନେକ ବର୍ଷ ଲାଗିପାରେ ।
ସେତେବେଳ ଯାଏଁ ଆମକୁ ଏହା ବିଚାର କରିବାକୁ ପଡିବ ଯେ ଭାରତର ସମୁଦ୍ରଗର୍ଭରୁ ଆଣବିକ ଅସ୍ତ୍ର କ୍ଷେପଣ କରିବାର ଶକ୍ତି ପରୀକ୍ଷାଗାରରେ ରହିଛି । ଏହାକୁ ସଫଳ ରୂପ ଦେଇ ସାମୁଦ୍ରିକ ଶକ୍ତି ପ୍ରଦର୍ଶନରେ ଭାରତର ବିଶ୍ଵାସ ବଢାଇବାକୁ ହେଲେ ଆମକୁ ଏଥିଲାଗି ଆବଶ୍ୟକ ପାଣ୍ଠି ଏବଂ ଜାତୀୟସ୍ତରରେ ସରକାରୀ ଇଚ୍ଛାଶକ୍ତିକୁ ଜିତିବାକୁ ହେବ ।
ସି. ଉଦୟ ଭାସ୍କର