ନୂଆଦିଲ୍ଲୀ: ଥମିଛି ଦିଲ୍ଲୀ ହିଂସାର ନିଆଁ । ହେଲେ ଏହି ହିଂସାକୁ ନେଇ ଏବେ ବି ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଏପରି ସ୍ଥିତିରେ ଦିଲ୍ଲୀ ହିଂସା ବିରୋଧରେ ତୁର୍କି ବୟାନ ଉପରେ ଆପତ୍ତି ଜାହିର କରିଛି ଭାରତ । ଏହା ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ଏ ନେଇ ତୁର୍କି ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିଛନ୍ତି ଭାରତର ବୈଦେଶିକ ସଚିବ ରବିଶ କୁମାର ।
ଦିଲ୍ଲୀ ହିଂସା ଉପରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋନଙ୍କ ମନ୍ତବ୍ୟ ଉପରେ ବୈଦେଶିକ ସଚିବ ରବିଶ କୁମାର କହିଛନ୍ତି ଯେ ସେମାନେ ପ୍ରକୃତରେ ଭୁଲ୍, ସେମାନେ ତାଙ୍କ ରାଜନୈତିକ ଏଜେଣ୍ଡା ଦ୍ବାରା ପରିଚାଳିତ | ଜଣେ ରାଷ୍ଟ୍ରମୁଖ୍ୟଙ୍କ ଠାରୁ ଆମେ ଏପରି ବିବୃତ୍ତି ଆଶା କରୁନାହୁଁ । ମାର୍ଚ୍ଚ 3ରେ ଦିଲ୍ଲୀରେ ତୁର୍କୀ ରାଷ୍ଟ୍ରଦୂତଙ୍କ ସହ ଏହି ପ୍ରସଙ୍ଗ ଉପରେ ମତଭେଦ ହୋଇଥିବା ରବିଶ ଜଣାଇଛନ୍ତି ।
ଦିଲ୍ଲୀ ହିଂସାକୁ ନେଇ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗାନ ନିନ୍ଦା କରିବା ସହ ଏଥିରେ ମୁସଲମାନଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ଏହାସହ ସେ ଏହି ହିଂସାକୁ ନେଇ କଡା ସମାଲୋଚନା ମଧ୍ୟ କରିଥିଲେ । ଏରଡୋଗାନ କହିଥିଲେ ଯେ "ବର୍ତ୍ତମାନ ଭାରତ ଏପରି ଏକ ଦେଶରେ ପରିଣତ ହୋଇଛି ଯେଉଁଠାରେ ହତ୍ୟାକାଣ୍ଡ ବ୍ୟାପକ ହୋଇଛି । କେଉଁ ହତ୍ୟାକାଣ୍ଡ? ମୁସଲମାନମାନଙ୍କର ହତ୍ୟାକାଣ୍ଡ । କିଏ? ହିନ୍ଦୁମାନେ?" ଏରଡଗାନ୍ ଏହି ସପ୍ତାହରେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସା ଆରମ୍ଭ ହେବା ପରେ ଏହି ବିବାଦିତ ଅଭିଭାଷଣ ରଖିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ