ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗ ଏବଂ ନାଗରିକତା ସଂଶୋଧନ ଆଇନ୍(ସିଏଏ) ଭଳି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଲଗାତାର ମୁଣ୍ଡ ଖେଳାଉଛି ମାଲେସିଆ। କାଶ୍ମୀର ପରେ ଏବେ ସିଏଏକୁ ନେଇ ଭାରତ ବିରୋଧରେ ବାରମ୍ବାର ବୟାନବାଜି କରୁଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ। ଉଚିତ ଶିକ୍ଷା ଦେବାପାଇଁ ପ୍ରଥମେ ମାଲେସିଆରୁ ବିଶୋଧିତ ପାମ ଅଏଲ ବା ତାଳତେଲ ଆମଦାନୀ ଉପରେ କଟକଣା ଲଗାଇବା ପରେ ଏବେ ଏହି ପ୍ରତିବନ୍ଧକର ସୀମା ଆହୁରି ବଢାଇବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହିକ୍ରମରେ କେନ୍ଦ୍ର ସରକାର ମାଲେସିଆରୁ ଆମଦାନୀ ହେଉଥିବା ମାଇକ୍ରୋପ୍ରୋସେସର୍ସ ଚିପ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇପାରନ୍ତି।
ଏକ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁଯାୟୀ, ମାଲେସିଆରୁ ଆମଦାନୀ ହେଉଥିବା ମାଇକ୍ରୋପ୍ରୋସେସର୍ସ ଚିପକୁ ଭାରତ ଟେକନୋଲୋଜୀ ଗ୍ରାଉଣ୍ଡରେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରୁଛି । ଏହି ଚିପର ବ୍ୟବହାର ଟେଲିକମ ଡିଭାଇସ ପ୍ରସ୍ତୁତିରେ ହୁଏ। ମାଲେସିଆରୁ ଆସୁଥିବା ମାଇକ୍ରୋପ୍ରୋସେସର୍ସର ଗୁଣବତ୍ତା ଉପରେ ନଜର ରଖିବାକୁ କଷ୍ଟମ ଅଧିକାରୀଙ୍କୁ କୁହାଯାଇଥିବା ଜଣାପଡିଛି।
କାଶ୍ମୀର ଏବଂ ସିଏଏ ଉଭୟ ଭାରତର ଆଭ୍ୟନ୍ତୀଣ ମାମଲା ହୋଇଥିବାରୁ ଏହି ପ୍ରସଙ୍ଗ ଉପରେ କହିବାର ମାଲେସିଆର କୌଣସି ଅଧିକାର ନାହିଁ ବୋଲି ଭାରତ ବିଚାର କରୁଛି। ସେପଟେ ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ଭାରତର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେଉଥିବା ନେଇ ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି।