କୈଳାସ ମାନସରୋବର ଯାତ୍ରାର ସମୟ ହ୍ରାସ କରିବା ଲାଗି ନିକଟରେ ଉତ୍ତରାଖଣ୍ଡରେ ଉଦ୍ଘାଟିତ ହୋଇଥିବା ଏକ ରାସ୍ତାକୁ କେନ୍ଦ୍ର କରି ଭାରତ ଓ ନେପାଳ ମଧ୍ୟରେ କୂଟନୈତିକ ବିବାଦ ଘନେଇବାରେ ଲାଗିଛି । ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ପୂର୍ବରୁ ଉଦ୍ଘାଟିତ ହୋଇଥିବା ଏହି ରାସ୍ତା ଉପରେ ଆପତ୍ତି ଜଣାଇ ନେପାଳର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଔପଚାରିକ ପ୍ରତିବାଦ ପତ୍ରର ଉତ୍ତର ଦେଇ ଭାରତ ସୀମା ଉଲ୍ଲଂଘନ ଅଭିଯୋଗକୁ ଅସ୍ବୀକାର କରିଛି ।ଚୀନ୍ ସୀମା ନିକଟବର୍ତ୍ତୀ ଧର୍ଚୁଲାରୁ ଲିପୁଲେଖ ମଧ୍ୟରେ ନିର୍ମିତ ଏହି ରାସ୍ତାକୁ ଗତ ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଥିଲେ ।
ରାସ୍ତା ନିର୍ମାଣ ହୋଇଥିବା ଅଞ୍ଚଳ ନେପାଳର ସୀମା ପରିସରଭୁକ୍ତ ବୋଲି ନେପାଳ ଦାବି କରିଛି । ନେପାଳର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କଡ଼ା ଭାଷାରେ ଲିଖିତ ଏକ ଦୀର୍ଘ ବିବୃତିରେ ଭାରତର “ଏକପାଖିଆ କାର୍ଯ୍ୟାନୁଷ୍ଠାନ”କୁ ନେଇ ଦୁଃଖ ପ୍ରକାଶ କରାଯିବା ସହିତ ‘ନେପାଳ ସୀମାଭୁକ୍ତ ଅଞ୍ଚଳ’ରେ କୌଣସି ପ୍ରକାର କାର୍ଯ୍ୟକଳାପରୁ ବିରତ ରହିବା ପାଇଁ ଭାରତକୁ ସୂଚାଇ ଦିଆଯାଇଛି । 1816 ସୁଗାଉଲି ଚୁକ୍ତିନାମା ଅନୁସାରେ, “ଲିମ୍ପିୟାଧୁରା, କାଲାପାନି ଏବଂ ଲିପୁଲେଖ” ସମେତ ମହାକାଳୀ ନଦୀର ପୂର୍ବ ତଟବର୍ତ୍ତୀ ସବୁ ଅଞ୍ଚଳ ନେପାଳର ବୋଲି ଏଥିରେ ଦାବି କରାଯାଇଛି । ଏହି ବିବୃତିରେ କୁହାଯାଇଛି ଯେ,“ଅତୀତରେ, ବିଭିନ୍ନ ସମୟରେ ନେପାଳ ସରକାରଙ୍କ ଦ୍ବାରା ଏ ସଂପର୍କରେ ପୁନରାବୃତ୍ତି କରାଯାଇଛି ଏବଂ ନିକଟ ଅତୀତରେ ଭାରତ ପକ୍ଷରୁ ଜାରି କରାଯାଇଥିବା ଏକ ନୂତନ ରାଜନୈତିକ ମାନଚିତ୍ରର ପ୍ରତ୍ୟୁତ୍ତରରେ 2019 ମସିହା ନଭେମ୍ବର 20 ତାରିଖ ଦିନ ଭାରତ ସରକାରଙ୍କୁ ସମ୍ବୋଧିତ ଏକ କୂଟନୈତିକ ପତ୍ର ଜରିଆରେ ଏହା ଜଣାଇ ଦିଆଯାଇଥିଲା ।”
କିନ୍ତୁ କାଠମାଣ୍ଡୁ ପକ୍ଷରୁ କରାଯାଇଥିବା ସାର୍ବଭୌମ ସୀମା ଉଲ୍ଲଂଘନ ଅଭିଯୋଗକୁ ଅସ୍ବୀକାର କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, “ନିକଟରେ ଉତ୍ତରାଖଣ୍ଡ ରାଜ୍ୟର ପିଥୋରାଗଡ଼ରେ ଉଦ୍ଘାଟିତ ରାସ୍ତା ସଂପୂର୍ଣ୍ଣ ଭାବରେ ଭାରତୀୟ ସୀମା ପରିସରଭୁକ୍ତ ଅଞ୍ଚଳରେ ରହିଛି” । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଜାରି ହୋଇଥିବା ଏହି ବିବୃତିରେ ଆହୁରି ଦର୍ଶାଯାଇଛି ଯେ, “କୈଳାସ ମାନସରୋବର ଯାତ୍ରା ନିମନ୍ତେ ପୂର୍ବରୁ ଯାତ୍ରୀମାନେ ବ୍ୟବହାର କରୁଥିବା ଯାତ୍ରାପଥରେ ଏହି ରାସ୍ତା ରହିଛି । ବର୍ତ୍ତମାନ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପରେ ତୀର୍ଥଯାତ୍ରୀ, ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀମାନଙ୍କ ସୁବିଧା ପାଇଁ ସେହି ଏକା ରାସ୍ତାକୁ ଅଧିକ ଚଳାଚଳଯୋଗ୍ୟ କରାଯାଇଛି ।”
ସମ୍ବିଧାନର 370 ଧାରା ଉଚ୍ଛେଦ ସହିତ ଜାମ୍ମୁ, କାଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ରୂପେ ପୁନର୍ଗଠନ କରାଯିବା ପରେ ଭାରତ ପକ୍ଷରୁ ଏକ ନୂତନ ରାଜନୈତିକ ମାନଚିତ୍ର ପ୍ରକାଶିତ ହେବା ପରଠାରୁ ଉଭୟ ପଡ଼ୋଶୀ ଦେଶ ମଧ୍ୟରେ ସୀମା ବିବାଦକୁ କେନ୍ଦ୍ର କରି ଚାପା ଉତ୍ତେଜନା ଲାଗି ରହିଛି । ନୂତନ ରାଜନୈତିକ ମାନଚିତ୍ରରେ କାଲାପାନିକୁ ଭାରତୀୟ ଅଞ୍ଚଳ ରୂପେ ଦର୍ଶାଯାଇଥିବାରୁ କାଠମାଣ୍ଡୁ ଏହାର ଦୃଢ଼ ପ୍ରତିବାଦ କରିଥିଲା ଏବଂ ନେପାଳର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । କିନ୍ତୁ ପୂର୍ବରୁ ପ୍ରକାଶିତ ମାନଚିତ୍ରରେ ଯାହା ଥିଲା ବର୍ତ୍ତମାନ ତାହା ହିଁ ରହିଛି ବୋଲି ଭାରତ ଉଲ୍ଲେଖ କରିଥିଲା । କାଠମାଣ୍ଡୁ ପକ୍ଷରୁ ପ୍ରକାଶିତ ଆଜିର ସଦ୍ୟତମ ବିବୃତିରେ, 2015 ମସିହାରେ ଉଭୟ ଭାରତ ଓ ଚୀନ୍କୁ ଦିଆଯାଇଥିବା ଦୁଇଟି ପ୍ରତିବାଦ ପତ୍ରର ଅବତାରଣା କରାଯାଇ ସ୍ମରଣ କରାଇ ଦିଆଯାଇଛି ଯେ ଲିପୁଲେଖ ଘାଟିରାସ୍ତାକୁ ଦ୍ବିପାକ୍ଷିକ ବାଣିଜ୍ୟ ପଥ ରୂପେ ଉପଯୋଗ କରିବା ଲାଗି ଉଭୟ ଦେଶ ରାଜି ହୋଇଥିଲେ ଏବଂ ସେତେବେଳେ ଏଥିରେ ନେପାଳର ସମ୍ମତିଲୋଡ଼ା ଯାଇନଥିଲା ।
ଭାରତକୁ ଆଜି ନେପାଳ ସ୍ମରଣ କରାଇ ଦେଇଛି ଯେ, “ଏହି ଏକତରଫା କାର୍ଯ୍ୟାନୁଷ୍ଠାନ,ଆପୋସ ବୁଝାମଣା ଜରିଆରେ ସୀମା ସମସ୍ୟା ପ୍ରସଙ୍ଗର ସମାଧାନ ଖୋଜାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ସ୍ତରରେ ଆଲୋଚନା ହେବା ସମେତ ଦୁଇ ଦେଶ ଉପନୀତ ହୋଇଥିବା ବୁଝାମଣାର ବିରୁଦ୍ଧାଚରଣ କରୁଛି ।”
ଶନିବାର ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଉତ୍ତରରେ କୁହାଯାଇଥିଲା ଯେ, “ସୀମା ସଂପର୍କିତ ସମସ୍ତ ବିବାଦର ସମାଧାନ ଲାଗି ଭାରତ ଓ ନେପାଳ ଏକ ବିଧିବଦ୍ଧ ବ୍ୟବସ୍ଥା ସ୍ଥାପନ କରିଛନ୍ତି । ନେପାଳ ସହ ସ୍ଥାପିତ ଆମର ନିବିଡ଼ ବନ୍ଧୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ସଂପର୍କର ଭାବଧାରାକୁ ଦୃଷ୍ଟିରେ ରଖି କୂଟନୈତିକ ଆଲୋଚନା ଜରିଆରେ ସୀମା ସଂପର୍କିତ ସମସ୍ତ ପୂର୍ବ ବିବାଦର ଅବସାନ ଘଟାଇବା ଲାଗି ଭାରତ ଅଙ୍ଗୀକାରବଦ୍ଧ ।”
ଏହା ସହିତ ଭାରତ ଆହୁରି ସୂଚାଇ ଦେଇଛି ଯେ,‘ଉଭୟ ଦେଶର ସମାଜ ଏବଂ ସରକାର କୋଭିଡ୍-19 ଯୋଗୁଁ ଉପୁଜିଥିବା ଜରୁରୀକାଳୀନ ସ୍ଥିତି ଜନିତ ସଂକଟର ସଫଳ ମୁକାବିଲା କରିସାରିବା ପରେ’ ଉଭୟ ପକ୍ଷ ବୈଦେଶିକ ସଚିବ ସ୍ତରୀୟ ଆଲୋଚନା ଲାଗି କାର୍ଯ୍ୟସୂଚୀ ସ୍ଥିର କରିବା ପ୍ରକ୍ରିୟା ଜାରି ରଖିଛନ୍ତି । ଘଟଣାକ୍ରମରେ, ନେପାଳ ବୈଦେଶିକ ମନ୍ତ୍ରାଳୟର ବିବୃତିରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଗତ ବର୍ଷ କାଲାପାନି ବିବାଦ ତୀବ୍ର ରୂପ ନେବା ପରେ ବୈଦେଶିକ ସଚିବ ସ୍ତରୀୟ ଆଲୋଚନା ଲାଗି କାଠମାଣ୍ଡୁ ପକ୍ଷରୁ ଦୁଇ ଦୁଇ ଥର ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ କୌଣସି ସୁଫଳ ମିଳି ନଥିଲା ।
ଲେଖକ,
ସ୍ମିତା ଶର୍ମା, ନୂଆଦିଲ୍ଲୀ