ୟାନଗୋନ(ମିଆଁମାର): ପଡୋଶୀ ଦେଶଙ୍କୁ ବିପଦ ସମୟରେ ସହାୟତାର ହାତ ବଢାଇଛି ଭାରତ । ପୂର୍ବ ନିଷ୍ପତ୍ତି ଅନୁସାରେ ମଙ୍ଗଳବାର ମିଆଁମାରକୁ ବିଭିନ୍ନ ପ୍ରକାର ମେଡିକାଲ ସାମଗ୍ରୀ ପଠାଯାଇଛି । ଏହାସହ ହାଇଡ୍ରୋକ୍ସିକ୍ଲୋରୋକ୍ବାଇନ ଟାବଲେଟ ମଧ୍ୟ ଦେଇଛି ଭାରତ ।
ମିଆଁମାରରେ ଭାରତର ରାଷ୍ଟ୍ରଦୂତ ସୌରଭ କୁମାର ସ୍ବାସ୍ଥ୍ୟ ଓ ଖେଳ ମନ୍ତ୍ରଣାଳୟକୁ ଏହି ସାମଗ୍ରୀ ହସ୍ତାନ୍ତର କରିଛନ୍ତି । ଏଥିରେ 2 ଲକ୍ଷର ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଟାବଲେଟ ରହିଛି । ଏହାସହ ସର୍ଜିକାଲ, ଇନଫ୍ୟୁଜନ ଓ ସିରିଞ୍ଜ ପମ୍ପସ ସହ ଗ୍ଲୁକୋମିଟର, ଥର୍ମାଲ ସ୍କାନର ଏବଂ ମେଡିକାଲ ଏୟାର କମ୍ପ୍ରେସର ରହିଛି । ୟାନଗୋନ ଏୟାରପୋର୍ଟରେ ଏହିସବୁ ସାମଗ୍ରୀ ହସ୍ତାନ୍ତର ହୋଇଥିଲା । କୋଭିଡ-19 ମୁକାବିଲା ପାଇଁ ମିଆଁମାରକୁ ସାହାଯ୍ୟ କରିବାକୁ ଭାରତ ଏହି ସମସ୍ତ ସାମଗ୍ରୀ ପଠାଇଥିବା ଜଣାପଡିଛି ।
ଏହି ପଦକ୍ଷେପ ଭାରତ ଓ ମିଆଁମାର ମଧ୍ୟରେ ଥିବା ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କକୁ ବୁଝାଉଛି । ଉଭୟ ଦେଶ ମଧ୍ୟରେ ଦୃଢ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବଂ ମୈତ୍ରୀ ଭାବ ଯୋଗୁଁ କୋଭିଡ-19 ଲଢେଇରେ ଏକାଠି ଛିଡା ହେବାର ନିଷ୍ପତ୍ତି ନେଇଛନ୍ତି । ମିଆଁମାର ଏବଂ ଏହାର ଦେଶବାସୀଙ୍କ ସହ ଭାରତ ସରକାର ସମସ୍ତ ବିପଦରେ ଛିଡା ହେବେ ବୋଲି ଦୂତାବାସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
ପୂର୍ବରୁ ନାମ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କୋଭିଡ-19 ଯୁଦ୍ଧରେ ସମସ୍ତ ପଡୋଶୀ ରାଷ୍ଟ୍ରଙ୍କୁ ସାଥ ଦେବେ ବୋଲି କହିଥିଲେ । ଭାରତ ସମସ୍ତଙ୍କୁ ବିପଦରେ ସାହାଯ୍ୟ କରିବ ଏବଂ ସବୁପ୍ରକାର ସହୟତା ଯୋଗାଇଦେବ ବୋଲି ସେ ପ୍ରକାଶ କରିଥିଲେ ।