ୱାଶିଂଟନ: ଆଣବିକ ଶକ୍ତିର ଦୁରୁପଯୋଗ ରୋକିବା ଦିଗରେ ଏକାଠି ହୋଇଛନ୍ତି ଭାରତ ଓ ଆମେରିକା । ସମୂହ ବିନାଶରେ ଅସ୍ତ୍ରଶସ୍ତ୍ରର ଦୁରୁପଯୋଗ ନେଇ ଉଭୟ ଦେଶ ଉଦବେଗ ପ୍ରକାଶ କରିଛନ୍ତି । ଆତଙ୍କବାଦୀଙ୍କ ହାତରେ ଏହି ଆଣବିକ ଅସ୍ତ୍ର ନ ଲାଗିବା ପାଇଁ ଉଭୟ ରାଷ୍ଟ୍ର ଏକାଠି ଲଢିବାକୁ ସ୍ଥିର କରିଛନ୍ତି । ଏହି ଅବସରରେ ବେସାମରିକ ଆଣବିକ ଶକ୍ତି ସହଯୋଗ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଭାରତ-ଆମେରିକା ଏକ ଚୁକ୍ତି କରିଛନ୍ତି ।
ଏଥିରେ ଭାରତରେ ଛଅଟି ଆମେରିକୀୟ ଆଣବିକ ପାୱାର ପ୍ଲାଣ୍ଟ ନିର୍ମାଣ କରିବାକୁ ଆମେରିକା ରାଜି ହୋଇଥିବା ସୂଚନା ମିଳିଛି । ବୁଧବାର ଶେଷ ହୋଇଥିବା ୯ମ ପର୍ଯ୍ୟାୟ ‘ଭାରତ-ଯୁକ୍ତରାଷ୍ଟ୍ର ଆମେରିକ ଷ୍ଟ୍ରାଟେଜିକ ସିକ୍ୟୁରିଟି ଡାଇଲଗ’ରେ ଏକ ମିଳିତ ଇସ୍ତାହାର ପ୍ରକାଶ କରି ଦୁଇ ଦେଶ ଏହି କଥା କହିଛନ୍ତି । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ଏବଂ ଆମେରିକାର ବୈଦେଶିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ଅନ୍ତର୍ଜାତିକ ନିରାପତ୍ତା ବିଭାଗର ଅଣ୍ଡର-ସେକ୍ରେଟାରୀ ଆଣ୍ଡ୍ରିଆ ଟମ୍ପ୍ସନ ।
ୱାଶିଂଟନରେ ଦୁଇ ଦେଶ ମଧ୍ୟରେ ଦୁଇ ଦିନ ଧରି ଚାଲିଥିବା ଆଲୋଚନାର ଶେଷ ପର୍ଯ୍ୟାୟରେ ଏହି ଚୁକ୍ତି ହୋଇଛି । ଏହା ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିଶ୍ବର 3ୟ ସର୍ବାଧିକ ତୈଳ କ୍ରୟକାରୀ ରାଷ୍ଟ୍ର ଭାରତକୁ ଅନେକ ଆଣବିକ ପଦାର୍ଥ ବିକିବା ନେଇ ଆଶାୟୀ ଥିବା ଆମେରିକା କହିଛି । ଏହାସହ ଆମେରିକା ୪୮ ସଦସ୍ୟ ବିଶିଷ୍ଟ ଏନଏସଜିରେ ଭାରତର ପ୍ରାଥମିକ ସଦସ୍ୟତାକୁ ପୁଣିଥରେ ଦୃଢ ସମର୍ଥନ କରିଛି ।
ପୂର୍ବରୁ ଅକ୍ଟୋବର ୨୦୦8ରେ ଭାରତ ଏବଂ ଆମେରିକା ବେସାମରିକ ଆଣବିକ ଶକ୍ତି ସେକ୍ଟରରେ ସହଯୋଗ କରିବାକୁ ଏକ ଐତିହାସିକ ରାଜିନାମା ସ୍ୱାକ୍ଷର କରିଥିଲେ । 2016ରେ ଏହି ଚୁକ୍ତି ଅନୁସାରେ ଆଣବିକ ସେକ୍ଟର ତିଆରି ନେଇ ଘୋଷଣା ହୋଇଥିଲା । ଏହାସହ ଏହି ରାଜିନାମା ଅନୁସାରେ ଭାରତକୁ ଏକାଧିକ ଦେଶ ସହ ଚୁକ୍ତି କରିବା ଲାଗି ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ (ଏନଏସଜି) ଭାରତକୁ ଅନୁମତି ଦେଇଥିଲା । ଏହାପରେ ଭାରତ ଆମେରିକା, ଫ୍ରାନ୍ସ, ରୁଷ, କାନାଡା, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଇଂଲଣ୍ଡ, ଜାପାନ, ଭିଏତନାମ, ବାଂଲାଦେଶ, କାଜାକସ୍ଥାନ ଏବଂ ଦକ୍ଷିଣ କୋରିଆ ସହ ଭାରତ ଏହି ଚୁକ୍ତି ସ୍ୱାକ୍ଷର କରିଛି ।